ବର୍ଷକୁ ଥରେ କାର୍ତ୍ତିକ ପୂର୍ଣ୍ଣିମାରେ ଖୋଲାଯାଏ ଲୋଭୀ ଠାକୁରାଣୀଙ୍କ ମନ୍ଦିର : ହଜାର ହଜାର ଶିଶୁଙ୍କୁ କରାଯାଏ ଲଣ୍ଡା, ଜାଣନ୍ତୁ ମାହାତ୍ମ୍ୟ

Published By : Prameya-News7 Bureau | November 12, 2019 IST

ଆଠଗଡ ୧୨।୧୧: ବର୍ଷକୁ ମାତ୍ର ଗୋଟିଏ ଦିନ ଖୋଲାଯାଇଥାଏ ମନ୍ଦିର । ଏହି ମନ୍ଦିରରେ ଯାହା ମାନସିକ କଲେ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିଶୁଙ୍କୁ ମୁଣ୍ଡନ କରାଯାଇଛି ।

{"id":182844}

ସାନ୍ତାନଟିଏ ପାଇଁ ବାପା ମା’ କେତେ ବ୍ରତ ଉପବାସ କରିଥାନ୍ତି । ପୁଣି ତା'ର ଶୁଭ ମନାସି ଅନେକ ଯାଚନା ମଧ୍ୟ କରିଥାନ୍ତି । ସନ୍ତାନକୁ ବର୍ଷେ ପୁରିଲେ ବର୍ଷକୁ ଥରେ ମନ୍ଦିର ଖୋଲୁଥିବା ମା’ ଲୋଭୀ ଠାକୁରାଣୀଙ୍କ ପାଖରେ ତାକୁ ମୁଣ୍ଡନ କରାଇବାର ପରମ୍ପରା ନିଶ୍ଚିତ ଭାବରେ ନିଆରା । ଆଠଗଡ଼ ତିଗିରିଆ ଅଞ୍ଚଳରେ ରହିଛି ଏହି ଠାକୁରାଣୀଙ୍କ ପୀଠ ।

{"id":182845}

ଯୁଆଡେ ଚାହିଁବ କେବଳ ଲଣ୍ଡିତ ମୁଣ୍ଡ ଶିଶୁ । ଆଠଗଡ ତିଗିରିଆର ବିନ୍ଧାଣିମା ଗ୍ରାମରେ ବିଜେ ମା’ ଲୋଭ ଠାକୁରାଣୀଙ୍କ ପାଖରେ ଏକବର୍ଷରୁ ଉର୍ଦ୍ଧ୍ବ ଏହି ଶିଶୁମାନଙ୍କ ମୁଣ୍ଡନ କରାଇଥିଲେ ସକଳ ରୋଗ ବ୍ୟାଧି ଓ ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ବାସ ରହିଛି ।

{"id":182846}

ତେଣୁ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ମା’ଙ୍କ ପାଖରେ ହଜାର ହଜାର ଶିଶୁଙ୍କୁ ମୁଣ୍ଡନ କରାଇବାର ପରମ୍ପରା ଅନେକ ଦିନରୁ ଚାଲିଆସିଛି। ବର୍ଷକରେ ଥରେ କେବଳ କାର୍ତ୍ତିକ ପୂର୍ଣ୍ଣିମା ଦିନ ମା’ଙ୍କ ମନ୍ଦିର ଖୋଲା ଯାଇ ସାଧାରଣ ଲୋକଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରାଯିବା ନିଶ୍ଚିତ ଭାବରେ ନିଆରା।

{"id":182847}

ବର୍ଷସାରା ମା’ ଲୋଭୀ ଠାକୁରାଣୀଙ୍କର ସେବାପୂଜା ହୋଇଥାଏ ଲୋଭୀ ଚଉରା ପାଖରେ । ଏହି ଚଉରା ପାଖରେ ଥିବା ଏକ ବଣିକ ପରିବାରର ପୂର୍ବଜଙ୍କ ସହିତ ମା’ ଲୋଭୀ ଠାକୁରାଣୀ ତାଳଚେର ଅଞ୍ଚଳରୁ ଆସିଥିବା କିମ୍ବଦନ୍ତୀ ରହିଛି । ତେଣୁ ବର୍ଷ ସାରା ମା’ ଏହି ପରିବାର ଦ୍ଵାରା ପୂଜା ପାଉଥିବା ବେଳେ କେବଳ କାର୍ତ୍ତିକ ପୂର୍ଣ୍ଣିମା ଦିନ ମନ୍ଦିରକୁ ବିଜେ କରିବାର ପରମ୍ପରା ରହିଛି।

{"id":182848}

ଏହି ଦିନ ମା’ଙ୍କ ପାଖରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ଦୃଷ୍ଟିରୁ ଆଇନ ଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ତଥା ଯାତ୍ରାର ସୁପରିଚାଳନା ପାଇଁ ଗ୍ରାମ କମିଟି ଓ ପୋଲିସ ପ୍ରଶାସନର ମିଳିତ ପ୍ରସ୍ତୁତି ବୈଠକ କରାଯାଇ ଥାଏ।

{"id":182849}

ବିଶ୍ଵାସ, ଅବିଶ୍ବାସ  ଆଉ ଅନ୍ଧବିଶ୍ବାସ ଭିତରେ ବିଜ୍ଞାନ ବେଳେ ବେଳେ ନିଜର ଅସହାୟତା ପ୍ରକାଶ କରେ । ଏମିତି ଏକ ନିଆରା ପରମ୍ପରା ଲୋଭୀ ଠାକୁରାଣୀ ଯାତ୍ରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.