ମୁମ୍ବାଇ ୩୦/୧୨: ଫିଜିକାଲ ଗୋଲ୍ଡର ନେଣ-ଦେଣକୁ କମ୍ କରିବା ପାଇଁ ସରକାର ନୂଆ ନୀତି ଆଣିଛନ୍ତି। ଏ ସଂକ୍ରାନ୍ତରେ ନୀତି ଆୟୋଗ ନୂଆନୀତିର ଚିଠା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହାକୁ ନୂଆବର୍ଷରେ ଲାଗୁ କରାଯାଇପାରେ। ଏହି ନୀତିରେ ସରକାର ସୁନାକୁ ସମ୍ପତ୍ତି ଘୋଷିତ କରିପାରନ୍ତି।
ଇଣ୍ଡିଆନ୍ ବୁଲିୟନ୍ ଏଣ୍ଡ ଜୁଏଲର୍ସ ଏସୋସିଏସନର ସଚିବଙ୍କ କହିବା ଅନୁସାରେ ସୁନା ସମ୍ପତ୍ତି ହୋଇ ଗଲେ ତ ଏହାକୁ କିଣିବା ନିମନ୍ତେ ବ୍ୟାଙ୍କରୁ ଲୋନ୍ ମଧ୍ୟ ମିଳି ପାରିବ। ବର୍ତ୍ତମାନ କୈାଣସି ପରିବାର ପାଖରେ ୮୫୦ଗ୍ରାମରୁ ଅଧିକ ସୁନା ଥିଲେ ଏହା ଆୟ ତାଲିକାରେ ସାମିଲ ହୋଇଥାଏ , ତେବେ ଏହା ସମ୍ପତ୍ତି ଶ୍ରେଣୀରେ ଆସିନଥାଏ।
ଏବେ ବହୁତ ଶୀଘ୍ର ପ୍ରାଇଜ କାଲକୁଲେସନର ଫାଇଦା ମିଳିବ। ଗୋଲ୍ଡ ସେଭିଙ୍ଗସ୍ ଆକାଉଣ୍ଟ ବ୍ୟାଙ୍କ ଆକାଉଣ୍ଟ ପରି ହେବ। ସାଧାରଣ ଜନତା ପାଖରେ ଥିବା ସୁନାକୁ ବ୍ୟାଙ୍କରେ ରଖି ପାରିବେ ଏବଂ ଏହାର ଉପସ୍ଥିତ ମୂଲ୍ୟରେ ସୁଧ ନେଇ ପାରିବେ। ଯଦିଓ ସୁଧ ଦର ସାମାନ୍ୟ ସେଭିଙ୍ଗ ଆକାଉଣ୍ଟଠାରୁ କମ୍ ରହିବ। ଏଥିରେ ଆପଣଙ୍କୁ ଏକ ପାସବୁକ୍ ଦିଆଯିବ। ଆପଣଙ୍କ ଗୋଲ୍ଡ ସେଭିଙ୍ଗ୍ ଆକାଉଣ୍ଟରେ କେତେ ସୁନା ରହିଛି ବ୍ୟାଙ୍କ୍ ତାହା ଆପଣଙ୍କ ପାସବୁକରେ ଏଣ୍ଟ୍ରି କରିଦେବେ।
କେବଳ ମନ୍ଦିର ଟ୍ରଷ୍ଟରେ ସୁନା ଅଧିକ ମାତ୍ରାରେ ଥିଲେ ଏହା ବ୍ୟାଙ୍କରେ ଜମା ହୋଇପାରୁଥିଲା। ସାଧାରଣ ଜନତା ଏହା କରିପାରୁନଥିଲା। ଗୋଲ୍ଡ ବଣ୍ଡ ସ୍କିମରେ ବଣ୍ଡ ମଧ୍ୟ କିଣାଯାଇପାରିବ କିନ୍ତୁ ଫେରସ୍ତ କେବଳ ୨.୫ପ୍ରତିଶତ ଥିଲା।
ବର୍ତ୍ତମାନ ଭିନ୍ନ ଭିନ୍ନ ସହରରେ ସୁନାର ଭିନ୍ନ ଭିନ୍ନ ମୂଲ୍ୟର ଚଳଣ ବନ୍ଦ ହୋଇଯିବ ଏବଂ ସମଗ୍ର ଦେଶରେ ସମାନ ମୂଲ୍ୟ ରହିବ। ଏହା ସହ ପୁଞ୍ଜି ନିବେଶ କରୁଥିବା ଲୋକଙ୍କ ଦ୍ବାରା ଏକ୍ସଚେଞ୍ଜ କରାଯାଇଥିବା ସୁନା କାରବାରର ଡେଲିଭରି ସେହି ଦିନ ହେବ। ଏକ୍ସଚେଞ୍ଜରେ ହେଉଥିବା କାରବାରରେ ଟ୍ୟାକ୍ସ କମ୍ ନିଆଯିବ। ବାହାର କାରବାରରେ ଅଧିକ ଟ୍ୟାକ୍ସ ଲାଗିବ।