ଚାଚା-ପୁତୁରା ପଲିଟିକ୍ସ : ପଶୁପତି ପାରସଙ୍କ ବାସଭବନ ଘେରିଲେ ଚିରାଗ ପାସଓ୍ବାନଙ୍କ ସମର୍ଥକ, ଲୋକସଭା ବାଚସ୍ପତିଙ୍କୁ ବି ଲେଖିଲେ ଚିଠି

Published By : Prameya-News7 Bureau | June 16, 2021 IST

ପାଟନା ୧୬/ ୦୬ : ବିହାର ରାଜନୀତିରେ ଏବେ ଘଡିକେ ଘୋଟା ଛୁଟୁଛି । ଲୋକ ଜନଶକ୍ତି ପାର୍ଟି (LJP)ରେ ଫାଟ ସୃଷ୍ଟି ହେବାପରେ ଏବେ ବିହାରରେ ରାଜନୈତିକ ମାହୋଲ ସରଗରମ ହୋଇଛି। ପ୍ରଥମେ ରାମବିଳାସ ପାସଓ୍ବାନଙ୍କ ଭାଇ ପଶୁପତି ପାରସ ଦଳର ୫ ଜଣ ସାଂସଦଙ୍କୁ ନେଇ ପାର୍ଟିରେ ନିଜର ଦବଦବା ଦେଖାଇଥିଲେ । ପରେ ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା । ଏହାପରେ ଚିରାଗ ପାସଓ୍ବାନ ଏହି ୫ ଜଣ ସାଂସଦଙ୍କୁ ଦଳରୁ ବାହାର କରିଦେଇଥିଲେ ।


ତେବେ ବୁଧବାର ମଧ୍ୟ ଏହି ଘଟଣାକୁ ନେଇ ଘମାସନ ଜାରି ରହିଛି । ଚିରାଗ ପାସଓ୍ବାନ, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ଏ ବାବଦରେ ଚିଠି ଲେଖିଥିବା ସୂଚନା ମିଳିଛି । ଚିଠିରେ ସେ ଅପିଲ କରିଛନ୍ତି ଯେ, ଲୋକ ଜନଶକ୍ତି ପାର୍ଟି (LJP)ର ସଂସଦୀୟ ଦଳ ନେତା ଭାବେ ପଶୁପତି ପାରସଙ୍କ ନାଁକୁ ମାନ୍ୟତା ଦେବା ଉପରେ ପୁଣି ଥରେ ବିଚାର କରାଯାଉ । ଚିରାଗଙ୍କର କହିବା କଥା ଯେ, ନିଷ୍ପତ୍ତି ଦଳୀୟ ନିୟମ ଭିତ୍ତିରେ ହୋଇନାହିଁ । ଦଳର ଅଧ୍ୟକ୍ଷ ହିଁ ସଂସଦୀୟ ଦଳ ନେତା ଚୟନ କରିଥାନ୍ତି । ତେଣୁ ପୁନଶ୍ଚ ତାଙ୍କୁ ସଂସଦୀୟ ଦଳ ନେତା ଭାବେ ନିଯୁ୍କ୍ତ କରିବାକୁ ଚିରାଗ ପାସଓ୍ବାନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।


ଲୋକ ଜନଶକ୍ତି ପାର୍ଟି (LJP)ରେ ଦଳୀୟ କନ୍ଦଳ ଉଗ୍ର ରୂପ ନେବାରେ ଲାଗିଛି । ବୁଧବାର ଦିଲ୍ଲୀ ସ୍ଥିତ ପଶୁପତି ପାରସଙ୍କ ବାସଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି ଚିରାଗ ପାସଓ୍ବାନଙ୍କ ସମର୍ଥକ । ଦଳ ଏବେ ଦୁଇ ଭାଗରେ ବିଭକ୍ତ ହୋଇଥିବା ଦେଖିବାକୁ ମିଳୁଛି ।


ସୂଚନାଯୋଗ୍ୟ, ଚିରାଗ ପାସଓ୍ବାନଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇଦିଆଯିବା ପରେ ଏବେ ସୁରଜ ଭାନଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଦଳର ସ୍ଥାୟୀ ଅଧ୍ୟକ୍ଷ ପାଇଁ ନିର୍ବାଚନ ହୋଇପାରେ । ବୁଧବାର ଦିନ ୧ଟାରେ ଚିରାଗ ପାସଓ୍ବାନ ପ୍ରେସ କନଫରେନ୍ସ କରିବାର ଥିଲା କିନ୍ତୁ ଶେଷ ମୂହୁର୍ତ୍ତରେ ଏହାକୁ ରଦ୍ଦ କରିଥିଲେ । ବର୍ତ୍ତମାନ ଚିରାଗ ପାସଓ୍ବାନଙ୍କ ଆଗାମୀ ପଦକ୍ଷେପ କଣ ରହୁଛି ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.