Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଲିଭିନି ଚତୁର୍ଥୀ ହୋମ ନିଆଁ, ଆଖି ବୁଜିଲା ବର, ଗଢିବା ପୂର୍ବରୁ ଭାଙ୍ଗିଗଲା ସୁନା ସଂସାର

16/05/2021 at 9:18 AM

କେନ୍ଦ୍ରାପଡ଼ା ୧୬/୦୫: ଏମିତି ବି ଆସେ ମୃତ୍ୟୁ । ଚତୁର୍ଥୀ ହୋମ ନିଆଁ ଲିଭିନାହିଁ । କି’ କନ୍ୟା ପାଦରୁ ଅଳତାର ରଙ୍ଗ ଛାଡ଼ିନାହିଁ । ହାତରେ ମେହେନ୍ଦିର ଦାଗ ବି ସତେଜ ଅଛି । ହେଲେ ମଥାରୁ ଲିଭିଗଲା ସିନ୍ଦୂର । ହାତରୁ ଶଙ୍ଖା ଭାଙ୍ଗିଗଲା । ସଂସାର ଗଢ଼ିବା ଆଗରୁ ଉଜୁଡ଼ିଗଲା । ଚତୁର୍ଥୀ ବାସି ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇ ବର ପ୍ରାଣ ହରାଇବା ପରେ କନ୍ୟାର ସବୁ ସ୍ୱପ୍ନ, ଆଶା, ଆକାଂକ୍ଷା ଭାଙ୍ଗି ଚୂର୍‌ମାର୍‌ ହୋଇଗଲା । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ପ୍ରଧାନପଡ଼ା ପଞ୍ଚାୟତ ଦୁର୍ଗାଦେବୀପଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ରାଜକନିକା ଥାନା ଦୁର୍ଗାଦେବୀପଡ଼ା ଗ୍ରାମର ସଞ୍ଜୟ କୁମାର ନାୟକ(ଦୀପୁ) ବେଙ୍ଗାଲୁରୁରେ ନିଜ ବଡ଼ ଭାଇଙ୍କ ସହ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଦୀପୁଙ୍କ ବାହାଘର ରାଜକନିକା ବ୍ଲକ୍‌ ଓଳାଭର ପଞ୍ଚାୟତର ଏକ ଗାଁରେ ସ୍ଥିର ହୋଇଥିଲା । ବାହାଘର ଠିକ୍‌ ହେବା ପରେ ସେ ଗତ ୧ ତାରିଖରେ ବଡ଼ଭାଇଙ୍କ ସହ ଗାଁକୁ ଫେରିଥିଲେ । ଗତ ୯ ତାରିଖରେ ବାହାଘର ହୋଇଥିଲା । ଦୀପୁ ବେଙ୍ଗାଲୁରୁ ଛାଡ଼ିବା ବେଳେ କୋଭିଡ୍‌ ପରୀକ୍ଷା (ଆଣ୍ଟିଜେନ୍‌) କରିଥିଲେ । ରିପୋର୍ଟ ନେଗେଟିଭ୍‌ ଆସିଥିଲା । ସେ ଘରେ ପହଞ୍ଚିବାର କିଛି ଦିନ ପରେ ଅଚାନକ ତାଙ୍କ ଦେହ ଅସୁସ୍ଥ ହେବା ଆରମ୍ଭ କରିଥିଲା । ଥଣ୍ଡାଜ୍ୱର ଲାଗିରହିବା ସହ କାଶ ହୋଇଥିଲା । ବାହାଘରର ପାରମ୍ପରିକ ରୀତିନୀତି ଭିତରେ ଏକାଧିକ ବାର ଗାଧୋଇବା ଯୋଗୁଁ ତାଙ୍କ ଦେହ ଖରାପ ହୋଇଥିବ ବୋଲି ଘର ଲୋକେ ଭାବିଥିଲେ । ତେଣୁ ଦୀପୁ ଔଷଧ କିଣି ଖାଇଥିଲେ । ହେଲେ ଥଣ୍ଡା, ଜ୍ୱର କମିନଥିଲା । ବରଂ ଦିନକୁ ଦିନ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ ।

୧୨ ତାରିଖରେ ଥିଲା ଚତୁର୍ଥୀ । ଅସୁସ୍ଥତା ସତ୍ତେ୍ୱ ଚତୁର୍ଥୀ ପିଣ୍ଡ ପଡ଼ି ହୋମ ହୋଇଥିଲା । ଚତୁର୍ଥୀ ବାସି ସକାଳେ ଦୀପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ପରିବାର ଲୋକେ ତାଙ୍କୁ ନେଇ ଯାଜପୁର ମେଡିକାଲକୁ ଯାଇଥିଲେ । ହେଲେ ସେଠାରେ ଚିକିତ୍ସାରେ ରହିବା ପରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟମାନେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେଇଯିବା ପାଇଁ ଯୋଗାଯୋଗ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏଣେ ଦୀପୁଙ୍କ ଶବ ତାଙ୍କ ଘରେ ପହଞ୍ଚିବା ଆଗରୁ ତାଙ୍କ ଶ୍ୱଶୂର ଘର ଲୋକେ ନବବିବାହିତା ଝିଅକୁ ନିଜ ଘରକୁ ନେଇ ଯାଇଥିଲେ । ଦୀପୁଙ୍କର କରୋନା ପଜିଟିଭ୍‌ ବୋଲି ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ବିଭିନ୍ନ ଲୋକ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ଅଦ୍ୟାବଧି କଣ୍ଟାକ୍ଟ ଟ୍ରେସିଂ କରାଯାଇନଥିବା, ଦୀପୁ ଓ ତାଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହୋଇ ନଥିବା ଅଭିଯୋଗ ଉଠିଛି । କୋଭିଡ୍‌ ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏଡିଏମ୍‌ଓ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଏ ସଂପର୍କରେ ପଚାରିବାରେ ସେ କହିଛନ୍ତି ଯେ ସଞ୍ଜୟଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତଥାପି ଆମେ କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ମୃତ୍ୟୁ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛୁ । ସଞ୍ଜୟଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ କୁହାଯାଇଛି । ଘଟଣାଟି ସମଗ୍ର ଅଞ୍ଚଳରେ ଶୋକ ଖେଳାଇ ଦେଇଛି ।

   Related Posts