ମିଳିଲା ଗ୍ରୀନ୍ ସିଗ୍‌ନାଲ୍ : ରଥଯାତ୍ରା ସିଧା ପ୍ରସାରଣ କରିପାରିବେ ସବୁ ଟେଲିଭିଜନ ଚ୍ୟାନେଲ୍

Published By : Prameya-News7 Bureau | June 11, 2019 IST

ପୁରୀ ୧୧|୬: ପୁରୀ ରଥ ଯାତ୍ରାର ଟିଭି ଟେଲିକାଷ୍ଟ ନେଇ ଉପୁଜିଥିବା ବିବାଦର ସମାଧାନ ସୂତ୍ର ବାହାର କରିଛି ଶ୍ରୀମନ୍ଦିର ପ୍ରଶାସନ । ସମସ୍ତ ଟିଭି ଚ୍ୟାନେଲ ପୂର୍ବଭଳି ରଥଯାତ୍ରାର ସିଧାପ୍ରସାରଣ କରିପାରିବେ। ତେବେ ଟିଭି ଚ୍ୟାନେଲଗୁଡ଼ିକୁ ଶ୍ରୀମନ୍ଦିରକୁ କିଛି ଅର୍ଥ ଦେବା ଲାଗି କୁହାଯିବ। ଏଥିପାଇଁ ସବୁ ଟିଭି ଚ୍ୟାନେଲର କର୍ତ୍ତୃପକ୍ଷଙ୍କୁ ଡକାଯାଇ ଏକ ବୈଠକ କରାଯିବ। ଖୁବ୍‌ଶୀଘ୍ର ଏ ବାବଦ ବୈଠକ ଡକାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । 

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ରଥଯାତ୍ରାର ସିଧା ପ୍ରସାରଣ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ଏଥିରେ ଆଲୋଚନା ହୋଇଥିଲା। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ସିଧା ପ୍ରସାରଣ ପାଇଁ  ନିଲାମ ଡାକିଥିଲା । ଗୋଟିଏ ପଟେ ଏହାକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା। ଅନ୍ୟପଟେ ସିଧାପ୍ରସାରଣ ନିଲାମ ପ୍ରକ୍ରିୟାରେ କିଛି ଟିଭି ଚ୍ୟାନେଲ ଭାଗ ନେଇ ସେମାନଙ୍କର ବିଡିଂ ଦାଖଲ କରିଥିଲେ।  ଗତକାଲି ଶ୍ରୀ ମନ୍ଦିର ପ୍ରଶାସନ ନିଲାମି ଖୋଲିଥିଲା। ତେବେ ଏହା ପୂର୍ବରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।

ବିଭିନ୍ନ ଆଡୁ ବିରୋଧ ଓ ବିବାଦ ବଢୁଥିବା ଦେଖି ଆଜି ପରିଚାଳନା କମିଟି ବୈଠକରେ ଏ ବାବଦରେ ସରଗରମ ଆଲୋଚନା ହୋଇଥିଲା। ବୈଠକରେ ନିଷ୍ପତ୍ତି ହୋଇଥିଲା ସମସ୍ତ ଟିଭି ଚ୍ୟାନେଲକୁ ସିଧା ପ୍ରସାରଣ ପାଇଁ ପୂର୍ବ ଭଳି ଅନୁମତି ଦିଆଯିବ।

ଏହା ବ୍ୟତୀତ ଫୋନି ଯୋଗୁଁ ନୀଳଚକ୍ରର କ୍ଷୟକ୍ଷତି ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଫୋନି ଯୋଗୁଁ ନୀଳଚକ୍ରର କୌଣସି କ୍ଷତି ହୋଇନଥିବା ଜଣାଯାଇଛି। ଆର୍କିଓ ଲୋଜିଷ୍ଟଙ୍କ ଡ୍ରୋନ କ୍ୟାମେରା ଦ୍ବାରା ଏହାର ଅନୁଧ୍ୟାନ କରାଯାଇଥିଲା। କ୍ୟାମେରା ଭିଜୁଆଲରୁ ଏହା ସ୍ପଷ୍ଟ ହୋଇଛି ଫୋନି ଯୋଗୁଁ ନୀଳଚକ୍ରର କୌଣସି କ୍ଷତି ହୋଇନାହିଁ । ସେହିପରି ଫୋନି ଯୋଗୁଁ ସିଂହଦ୍ବାରର ଦଜବିଜୟଙ୍କ ମୂର୍ତ୍ତି ଭାଙ୍ଗିଯାଇଥିଲା। ଏହାକୁ ଆସନ୍ତା ୧୬ ତାରିଖରେ ଲଗାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.