ଲିଭଇନରେ ରହୁଥିବା ୬୦ ବର୍ଷ ବୟସ୍କ ପ୍ରେମିକକୁ ହତ୍ୟା କରି ପୋତିଦେଲା ୩୦ ବର୍ଷ ବୟସ୍କା ପ୍ରେମିକା

Published By : Prameya-News7 Bureau | March 21, 2019 IST

ନୂଆଦିଲ୍ଲୀ ୨୧/୩: ଦିଲ୍ଲୀର ସ୍ବରୂପ ନଗର ଅଞ୍ଚଳର ଜଣେ ଯୁବତୀ ତାଙ୍କ ବୟସ୍କ ଲିଭ ଇନ୍ ପାର୍ଟନରଙ୍କୁ ହତ୍ୟା କରି ତାଙ୍କ ଶବକୁ ଦୁଇ ଭାଗରେ କାଟି ଘରେ ପୋତି ଦେଇଥିଲେ। ଏହି ଘଟଣା ଫେବୃୟାରୀ ମାସର। ବୁଧବାର ଘର ମାଲିକ ଆସିବାରୁ ଘଟଣା ଜଣା ପଡ଼ିଥିଲା। ମୃତକ ହେ​‌ଲେ ୬୦ବର୍ଷ ବୟସ୍କ ରାଜେଶ। ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ଅମୃତ ବିହାରର ସି ବ୍ଲକରେ ୩୦ବର୍ଷ ବୟସ୍କା ସୁନୀତା ଏବଂ ୬୦ବର୍ଷ ବୟସ୍କ ରାଜେଶ ଗତ ୮ବର୍ଷ ହେବ ଲିଭ୍ ଇନରେ ରହୁଥିଲେ। ରାଜେଶ ପ୍ରଥମେ ସୁନୀତାଙ୍କ ମାଆଙ୍କ ସହ ଲିଭ୍ ଇନରେ ରହୁଥିଲେ। ପରେ ତାଙ୍କ ମାଆଙ୍କୁ ଝାଡ଼ଖଣ୍ଡ ପଠାଇ ରାଜେଶ ,ସୁନୀତାଙ୍କ ସହ ଲିଭ୍ ଇନରେ ରହୁଥିଲେ। ଉଭୟଙ୍କ ୮ବର୍ଷର ଏକ ପୁଅ ଅଛନ୍ତି। ଦୁହେଁ ସ୍ଥାନୀୟ ଅଞ୍ଚଳର ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ।

ବଜାର ସୀତାରାମରେ ରହୁଥିବା ଘର ମାଲିକ ବୁଧବାର ସନ୍ଧ୍ୟାରେ ଘର ଭଡ଼ା ନେବାକୁ ଆସିଥିଲେ। ସେ ରାଜେଶଙ୍କ ବିଷୟରେ ପଚାରିବାରୁ ରାଜେଶ ଗତ ଫେବୃୟାରୀ ୧୪ତାରିଖରୁ ନିଖୋଜ ଥିବା କଥା ଜାଣି ପାରିଥିଲେ। ଘର ମାଲିକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ସେ ଦେଖିଥିଲେ ଯେ ତାଙ୍କ ଫ୍ଲାଟ୍ ପଛପଟେ ଦେଢ଼ ଶହ ଗଜ ଦୂରରେ ଏକ ଖାଲି ଜମି ଖୋଳା ହୋଇଥିଲା।

ସନ୍ଦେହ ହେବାରୁ ସେ ଏହି ଜମିକୁ ଖୋଳିଥିଲେ। ଏହାପରେ ସୁନୀତା ତାଙ୍କୁ ସବୁ କଥା କହିଥିଲେ। ସବୁ କଥା ଶୁଣିବା ପରେ ଘର ମାଲିକ ପୋଲିସକୁ ଏହି ଘଟଣାର ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜମିରୁ ଶବର ଅବଶେଷ ବାହାର କରିଥିଲା।

ସୁନୀତା ପୋଲିସଙ୍କୁ କହିଥିଲେ ଯେ ରାଜେଶ ସବୁବେଳେ ମଦ ନିଶାରେ ତାଙ୍କୁ ମାରୁଥିଲେ। ଯାହା ଫଳରେ ସୁନୀତା ତାଙ୍କଠୁ ମୁକ୍ତି ଚାହୁଁଥିଲା। ଫେବୃୟାରୀ ୧୩ତାରିଖରେ ରାଜେଶ ତାଙ୍କୁ ମାରିଥିଲେ। ଏସବୁ ସହିନପାରି ସୁନୀତା ସେହିଦିନ ରାତିରେ ରାଜେଶଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା। ଏହା ପରେ ରାଜେଶଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଫିଙ୍ଗି ଦେଇଥିଲା।

ଏହା ପରେ ଶରୀରରୁ ହାତ ଗୋଡ଼କୁ ମଧ୍ୟ ଅଲଗା କରିଦେଇଥିଲେ। ସେ ଶରୀରକୁ ଘର ପଛ ପଟେ ଖାଲି ଜମିରେ ପୋତି ଦେଇଥିଲେ। ହାତ ଗୋଡ଼କୁ କୈାଣସି ସ୍ଥାନରେ ପିଙ୍ଗି ଦେଇଥିଲେ ଏବଂ ଛୁରୀକୁ ଖାଲି ଫ୍ଲାଟରେ ଫିଙ୍ଗି ଦେଇଥିଲେ। ବର୍ତ୍ତମାନ ପୋଲିସ୍ ଭଲସ୍ବା ଡେରିରୁ ମିଳିଥିବା ମୁଣ୍ଡ ଏବଂ ଶରୀରର ଅନ୍ୟ ଅଙ୍ଗର ଡିଏନଏ ଯାଞ୍ଚ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.