କୁନି ବୈଜ୍ଞାନିକମାନେ ବୁଲିଲେ ବିଭିନ୍ନ ସଂଗ୍ରହାଳୟ ଏବଂ ଐତିହ୍ୟ ସ୍ଥଳ
30/12/2018 at 6:04 PM

ଭୁବନେଶ୍ବର୩୦|୧୨: ସୋଆ ଡିମଡ ଟୁ ବି ୟୁନିଭରସିଟି ରେ ଚାଲିଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ଆଜି ଥିଲା କାର୍ଯ୍ୟକ୍ରମର ଚତୁର୍ଥ ଦିବସ । ଏହି ଅବସରରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ଟେକ୍ନୋ ଟୁର ମାଧ୍ୟମରେ କୁନି କୁନି ବୈଜ୍ଞାନିକମାନେ ମନ୍ଦିର ମାଳିନୀ ସହର ବୁଲିଛନ୍ତି । ବିଶେଷ କରି ରାଜଧାନୀସ୍ଥିତ କଳାଭୂମି, ଟ୍ରାଇବାଲ ମ୍ୟୁଜିୟମ, ରିଜିଓନାଲ ମ୍ୟୁଜିୟମ ବୁଲିଛନ୍ତି କୁନି ବୈଜ୍ଞାନିକ।
ଓଡିଶାର କଳା, ସଂସ୍କୃତି ଐତିହ୍ୟ ବିଶ୍ବ ବିଦିତ । ଓଡିଆ ଲୋକଙ୍କର ରହଣି ସହଣୀ, ସେମାନଙ୍କର ବେଶ ଭୂଷା, ଖାଦ୍ୟପେୟ ଅନ୍ୟମାନଙ୍କ ଠାରୁ ଭିନ୍ନ । ଖାଲି ଜୀବନ ଚର୍ଯ୍ୟା ନୁହେଁ । ଯାନୀଯାତ୍ରା, ପର୍ବ ପର୍ବାଣୀ ମଧ୍ୟ ନିଆରା । ଯାହାର ବଡ ଉଦାହରଣ ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ଓ ଜଗତର ନାଥ ଜଗନ୍ନାଥ । ଏ କଥା ଆମେ କହୁନୁ । ସୋଆ ଡିମ ଟୁ ବି ୟୁନିଭରସିଟି ରେ ଚାଲିଥିବା ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଭାଗ ନେଇଥିବା କୁନି ବୈଜ୍ଞାନିକମାନେ କହିଛନ୍ତି । ଆଜି ଥିଲା ବିଜ୍ଞାନ କଂଗ୍ରେସର ଚତୁର୍ଥ ଦିବସ । ଏହି ଅବସରରେ କୁନି ବୈଜ୍ଞାନିକମାନେ ଟେକ୍ନୋ ଟୁର କରିଥିଲେ । ରାଜଧାନୀସ୍ଥିତ କଳାଭୂମି, ଟ୍ରାଇବାଲ ମ୍ୟୁଜିୟମ, ରିଜିଓନାଲ ମ୍ୟୁଜିୟମ ଓ ସାଇନ୍ସ ପାର୍କ ବୁଲି ଦେଖଇଥିଲେ । ଖାସ୍ କରି ଭୁବନେଶ୍ବରରେ ନୂଆ କରି ତିଆରି ହୋଇଥିବା କଳାଭୂମିରେ ଓଡିଶାର ବିଭିନ୍ନ ପ୍ରତିକୃତି ଦେଖି ଆଚମ୍ବିତ ହୋଇଯାଇଥିଲେ । ସେମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା ଆଦିବାସୀଙ୍କ ଜୀବନଶୈଳୀ । ଯାହା କଳାଭୂମିରେ ପ୍ରଦର୍ଶିତ ହୋଇଥିଲା।
ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ପ୍ରତିଦିନ ବିଭିନ୍ନ ବିଷୟ ବସ୍ତୁ ଉପରେ କାର୍ଯ୍ୟକ୍ରମମାନ ହେଉଛି । ଗଲା ଚାରି ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ କର୍ମଶାଳାମାନ ଅନୁଷ୍ଠିତ ହୋଇଥିଲା । ତେବେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପକ୍ଷରୁ ଟେକ୍ନୋଟୁର ଭଳି ଅଭିନବ କାର୍ଯ୍ୟକ୍ରମ ଆଜି କରାଯାଇଥିଲା । ଫଳରେ ଦେଶ ତଥା ଦେଶ ବାହାରୁ ଆସିଥିବା ପିଲାମାନେ ଏହାଦ୍ବାରା ଓଡିଶା ବିଷୟରେ ବହୁତ କିଛି ଜ୍ଞାନ ଆହରଣ କରିଥିଲେ ।
ସୋମବାର ଉଦଯାପିତ ହେବ ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ତେବେ ତାର ଦିନେ ପୂର୍ବରୁ ଆଜି କୁନି ବୈଜ୍ଞନିକମାନେ ଓଡିଶାର କଳା ସଂସ୍କୃତି ବିଷୟରେ ଅବଗତ ହୋଇଛନ୍ତି ।