କବି ଓ ଲେଖକଙ୍କ ସଫଳ ସୃଜନଶୀଳତା ସମାଜ ପାଇଁ ମଙ୍ଗଳକର : ସୋଆ ଲିଟେରାରୀ ଫେଷ୍ଟିଭାଲ୍ ଉଦଘାଟନୀରେ ଅତିଥିମାନେ ବଖାଣିଲେ ସାହିତ୍ୟର ଆଦର କଥା
1/02/2020 at 3:04 PM

ଭୁବନେଶ୍ବର ୧/୨: ବାସ୍ତବିକତା ଏବଂ କଳ୍ପନାର ସମନ୍ବୟରେ ସାହିତ୍ୟର ସୃଷ୍ଟି , ଲେଖକ ବା କବି ଏ ଦୁଇ ଦିଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ସହିତ ଯେଉଁଭଳି ସଫଳ କୃତି ସୃଷ୍ଟି କରିବେ ତାହା ସମାଜ ପାଇଁ ସେତିକି ମଙ୍ଗଳକର ହେବ । ଲେଖକକୁ ସଦାସର୍ବଦା ସମାଜର ହିତ ପାଇଁ ଲେଖିବା ଆବଶ୍ୟକ । ଏକବିଂଶ ଶତାଦ୍ଦୀରେ ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମର ବିକାଶ ସହ ସାହିତ୍ୟର ଆଦର ଏବେବି କମିନାହିଁ । କିନ୍ତୁ ପାଠକ ଆଗଭଳି ଆଉ ବହିକୁ ପ୍ରାଧାନ୍ୟ ଦେଉନାହାଁନ୍ତି । ସାହିତ୍ୟ ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଭାଷା ମଧ୍ୟରେ ସୀମିତ ନୁହେଁ । ଏହା ଏକ ହୃଦୟର ଭାଷା , ତେବେ ଭାରତବର୍ଷରେ ଅନେକ ଭାଷା ଏବଂ ଲୋକଭାଷା ଲୁପ୍ତ ହେବା ଭଳି ସ୍ଥିତିରେ । ସେ ସବୁକୁ ବଞ୍ଚେଇବା ପାଇଁ ଉଦ୍ୟମ ହେବା ଆବଶ୍ୟକ ।

ସୋଆ ଲିଟେରାରୀ ଫେଷ୍ଟିଭାଲ କେବଳ ଏକ ସାହିତ୍ୟ ସମାରୋହ ନୁହେଁ , ଏହା ସବୁ ଚିନ୍ତାଶୀଳ ବ୍ୟକ୍ତି ବିଶେଷ ମାନଙ୍କ ମିଳିତ ଭାବେ ଚିନ୍ତା କରିବା ସହିତ ନୂତନ ଆରମ୍ଭ ପାଇଁ ଏକ ସୂବର୍ଣ୍ଣ ସୁଯୋଗ । ଭାଷା ବିବିଧତାର ଭାରତବର୍ଷରେ ସାସ୍କୃତିକ ରାଜଧାନୀ ହେବା ପାଇଁ ଭୁବନେଶ୍ବର ଏକ ଉପଯୁକ୍ତ ସହର । ତେବେ ସାଂପ୍ରତିକ ସ୍ଥିତିରେ ବିଜ୍ଞାନର ଆଦର ବଢିବା ସହ ପାଠକ ସାହିତ୍ୟ ପ୍ରତି ବିମୁଖ ହେବା ଅନୁଚିତ୍।

ସୋଆ ଲିଟେରାରୀ ଫେଷ୍ଟିଭାଲରେ ସାରାଦେଶରୁ ୧୦୦ ରୁ ଅଧିକ ସାହିତ୍ୟିକ, କବି, ଲେଖକ ଓ ସିନେ ଜଗତର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେବା ସହିତ ନିଜ ନିଜର ମତ ବିନିମୟ କରିଥିଲେ । ୨୬ ଅଧିବେଶନ ବିଶିଷ୍ଟ ଏହି ଦୁଇଦିନିଆ ପ୍ରଥମ ସୋଆ ଲିଟେରାରୀ ଫେଷ୍ଟିଭାଲରେ ସୋଆର ପ୍ରତିଷ୍ଠାତା ମନୋଜ ରଞ୍ଜନ ନାୟକ ଯୋଗ ଦେଇଥିଲେ । ଏହି ସମାରୋହରେ ୨୦୧୯ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ମନୋନୀତ ଓଡିଆ ଲେଖକ ତରୁଣକାନ୍ତି ମିଶ୍ର ଏବଂ ସାନ୍ତାଳି ଲେଖକ କାଳୀ ଚରଣ ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
