ଆସନ୍ତାକାଲି ନବୀନଙ୍କ ୫ମ ପାଳି ସରକାରର ଶପଥ ଗ୍ରହଣ : ମନ୍ତ୍ରୀ ତାଲିକା ଚୂଡାନ୍ତ

Published By : Prameya-News7 Bureau | May 28, 2019 IST

ଭୁବନେଶ୍ବର ୨୮|୫: ଆସନ୍ତାକାଲି ୫ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ସେଥିପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡିଆଠାରେ ବ୍ୟାପକ ଆୟୋଜନ ହୋଇଛି । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିସହ ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ମହିଳାମାନେ ନବୀନଙ୍କୁ ଭୋଟବେଳେ ବିଶେଷ ସହାୟତା କରିଥିବାରୁ ସ୍ବୟଂସହାୟକ ଗୋଷ୍ଠୀର ପ୍ରତିନିଧିଙ୍କୁ ମଧ୍ୟ ଆମନ୍ତ୍ରଣ ହୋଇଛି ।

ତେବେ ଏତେସବୁ ଭିତରେ ସମସ୍ତଙ୍କ ନଜର ରହିଛି ନବୀନଙ୍କ ୫ମ ପାଳିର ମନ୍ତ୍ରିମଣ୍ଡଳ ଉପରେ । କିଏ କିଏ ପାଇବେ ମନ୍ତ୍ରୀ ପଦ । ୨୧ ଟି ବିଭାଗ ପାଇଁ ନବୀନ ମନ୍ତ୍ରୀ ବାଛିସାରିଛନ୍ତି । ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇସାରିଛି । କିନ୍ତୁ ତାହା ପ୍ରକାଶ କରାଯାଇନାହିଁ । ୨୧ଟି ବିଭାଗ ପାଇଁ ସମୁଦାୟ ୨୪ ଜଣଙ୍କୁ ମନ୍ତ୍ରୀ କରିବା ପାଇଁ ଆପାତତଃ ନିଷ୍ପତ୍ତି ହୋଇଛି । ଏଥିଲାଗି ୩୦ଜଣିଆ ତାଲିକାରୁ ନବୀନ ୨୪ଜଣଙ୍କୁ ଚୟନ କରିଛନ୍ତି । କାର୍ଯ୍ୟଦକ୍ଷତା, ସ୍ବଚ୍ଛଭାବ ମୂର୍ତ୍ତି ସାଂଗକୁ ସାଂଗଠନିକ ଦକ୍ଷତା ଥିବା ବିଧାୟକଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଥିଲେ ମଧ୍ୟ ଦଳର ପୁରୁଖା ଓ ଟାଣୁଆ ନେତାଙ୍କୁ ନବୀନ ଅଣଦେଖା କରିନାହାନ୍ତି ।

ମନ୍ତ୍ରିମଣ୍ଡଳ ତାଲିକାରେ ସର୍ବାଗ୍ରେ ପ୍ରଣବ ପ୍ରକାଶ ଦାଶ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକଙ୍କ ନାଁ ରହିଥିବା ଚର୍ଚ୍ଚା ଜୋର ଧରିଛି । ସେହିଭଳି ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ୍ ଓ କିଶୋର ମହାନ୍ତିଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିପାରେ ବୋଲି ବେଶ ଚର୍ଚ୍ଚା ହେଉଛି । ଗଞ୍ଜାମ ଜିଲ୍ଲାରୁ ଏଥର କାହାକୁ ମନ୍ତ୍ରୀ କରାଯିବ ତାକୁ ନେଇ ନବୀନଙ୍କୁ ବେଶ କସରତ କରିବାକୁ ପଡିଛି । ପ୍ରଦୀପ ପାପାଣିଗ୍ରାହୀ ଏବଂ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଏଥର ମନ୍ତ୍ରୀପଦ ମିଳିବା ନେଇ ସଂଦେହ ରହିଥିବାବେଳେ ବିକ୍ରମ ଆରୁଖ ମନ୍ତ୍ରୀ ପଦ ପାଇପାରନ୍ତି ।

ସେହିଭଳି ଉଷାଦେବୀ, ପ୍ରମିଳା ମଲିକ ମଧ୍ୟ ମନ୍ତ୍ରୀପଦ ପାଇବା ନେଇ ବେଶ ଆଶାବାଦୀ ରହିଛନ୍ତି । ଯଦି କେନ୍ଦୁଝର ଲବିକୁ ବିଚାର କରାଯାଏ ତାହେଲେ ପ୍ରଥମଥର ବିଧାନସଭା ନିର୍ବାଚିତ ହୋଇଥିଲେ ମଧ୍ୟ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କୁ ମଧ୍ୟ ମନ୍ତ୍ରୀ ପଦମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରୀଆ ମଧ୍ୟ ମନ୍ତ୍ରୀ ପଦ ପାଇପାରନ୍ତି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀପଦ ମିଳିବା ସମ୍ଭାବନା କ୍ଷୀଣ ।

ପୁରୀ ଜିଲ୍ଲାରେ ମହେଶ୍ବର ମହାନ୍ତି ଏବଂ ସଞ୍ଜୟ ଦାସବର୍ମାଙ୍କ ଭଳି ହେବିୱେଟ୍ ହାରିଯାଇଥିବାରୁ ସମୀର ଦାଶଙ୍କୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ଚର୍ଚ୍ଚା ହେଉଛି ।  ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମନ୍ତ୍ରୀ ହେବା ସମ୍ଭାବନା ସବୁଠାରୁ ଅଧିକ । ସେହିଭଳି କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରୁ ନବ ଦାଶଙ୍କ ପାଇଁ ସୁଯୋଗ ଅଧିକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.