ନାଁ ଅସଲି, ମାଲ୍ ନକଲି: ସୋରିଷ ତେଲ ପେଟିରୁ ୯୦ ଲକ୍ଷ ଟଙ୍କାର ଦାମୀ ମଦ ଜବତ
14/01/2021 at 6:50 PM

ପାଟନା ୧୪/୦୧: ୨୬ ନଭେମ୍ବର ୨୦୧୫ରେ ବିହାରକୁ ମଦ ମୁକ୍ତ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ୧ ଏପ୍ରିଲ ୨୦୧୬ରୁ ଏହି ନିୟମ ଲାଗୁ ହୋଇଥିବା ବେଳେ ବିହାର ଗୋଟିଏ ‘ଡ୍ରାଏ ଷ୍ଟେଟ୍’ ବୋଲି ମଧ୍ୟ ଜଣାଗଲା। କିନ୍ତୁ ତାପରଠୁ ବିଭିନ୍ନ ସମୟରେ ଚୋରା ମଦ କାରବାର ହେଉଥିବା ଦେଖିବାକୁ ମିଳୁଛି। ନିକଟରେ ୯୦ ଲକ୍ଷ ଟଙ୍କାର ଦାମୀ ମଦ ଜବତ କରିଛି ପୋଲିସ।
ସୋରିଷ ତେଲ ବ୍ରାଣ୍ଡ ନାଁରେ ଚୋରା ଚାଲାଣ ହେଉଛି ଦାମୀ ମଦ। ପାଟନାରେ ଏହି ମଦ ପହଞ୍ଚିଥିବା ବେଳେ ଏହାକୁ ମୁଜାଫରପୁରକୁ ନେବା ପାଇଁ ସୋରିଷ ତେଲ କମ୍ପାନୀ ନାଁର ବ୍ୟବହାର ହୋଇଥିବା ନେଇ ପୋଲିସ କହିଛି। ତେବେ ଖୋରେଟା ଗ୍ଲୋମ୍ବରରେ ଗାଡ଼ି ଚେକିଂ ଚାଲିଥିବା ବେଳେ ଚୋରା ମଦ କାରବାରର ପର୍ଦ୍ଦାଫାସ କରିଛି ବିକ୍ରିମ ଥାନା ପୋଲିସ।
ଯେତେବେଳେ ପୋଲିସ ଅଧିକାରୀ ଚେକିଂ ପାଇଁ ଗୋଟିଏ ଟ୍ରକ୍କୁ ଅଟକାଇଲେ ସେଥିରେ ୫୦୦ ପେଟି ଦାମୀ ମଦ ଥିବା ଜାଣିବାକୁ ପାଇଥିଲେ। କିନ୍ତୁ ପେଟିରେ ଲେଖା ଥିଲା ସୋରିଷ ତେଲର ବ୍ରାଣ୍ଡ। ପୋଲିସ ଟ୍ରକ୍ ହେଲପର ଓ ଡ୍ରାଇଭରକୁ ଗିରଫ କରିଛି। ଦୁଇ ଜଣଙ୍କୁ ଗିରଫ କରିବା ପରେ ପୋଲିସ ମଦ ଚୋରା ଚାଲାଣର ଚେର କେଉଁଠି ଖୋଜୁଛି। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।