ଭଦ୍ରକ ମଦ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ! ତଦନ୍ତ ପାଇଁ ଅବକାରୀ କମିଶନରଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | April 30, 2019 IST

ଭଦ୍ରକ ୩୦|୪: ଭଦ୍ରକ ଲିକର ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ୪୫ଜଣଙ୍କର ଅବସ୍ଥା ଗୁରୁତର ରହିଥିବା ଅଭିଯୋଗ ହୋଇଛି । ମୃତକମାନେ ହେଲେ ରାମଚନ୍ଦ୍ର ପଢିଆରୀ, ସାଧୁଚରଣ ନାୟକ, ସର୍ବେଶ୍ବର ଦାସ, ଶଙ୍କର୍ଷଣ ପରିଡା, ମନୋଜ ମହାନ୍ତି ଏବଂ କୃଷ୍ଣଚନ୍ଦ୍ର ନାୟକ । ୪୫ ଜଣଙ୍କ ମଧ୍ୟରୁ ୨ଗୁରୁତର କୁନା ଜେନା ଓ ବାଇଧର ନାୟକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଘଟଣାର ତଦନ୍ତ ପାଇଁ ଅବକାରୀ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜିଲ୍ଲାପାଳ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି । ପ୍ରାଥମିକ ରିପୋର୍ଟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ରାଜସ୍ବ, ସ୍ବାସ୍ଥ୍ୟ ଓ ଜିଲ୍ଲା ପୋଲିସ ମିଳିତ ତଦନ୍ତ କରିବେ । ରିପୋର୍ଟ ପାଇବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନା ଅନୁସାରେ ତିହିଡି ଥାନା ଦୌଲତପୁର ପଞ୍ଚାୟତର କିଛି ଲୋକ ଗତକାଲି ରାତିରେ ମଦ ପିଇଥିଲେ । ତେବେ ମଦ ପିଇବା ପରେ ସମସ୍ତେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଗତକାଲି ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାପାଳ ଡାକ୍ତରଖାନା ପରିଦର୍ଶନ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ଚାନ୍ଦବାଲି ରାସ୍ତାର ପୀରହାଟଠାରେ ରାସ୍ତା ରୋକ କରିଛନ୍ତି । ଫଳରେ ସେହି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିଜୟ ତ୍ରିପାଠୀ ନାମକ ବ୍ୟକ୍ତି ଏହି ମଦ ବାଣ୍ଟୁଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗକୁ ବିଜୟ ଖଣ୍ଡନ କରିଛନ୍ତି । ସେ ନିଜେ ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.