ସୋନପୁର ସର୍କିଟ ହାଉସ ପରିସରରେ ଗଣ୍ଡା ଗଣ୍ଡା ମଦ ବୋତଲ, ଆସୁଛି କେମିତି ?
27/06/2019 at 12:34 PM

ସୋନପୁର ୨୭|୬ : ସ୍ବଛ ଓ ନିର୍ମଳ ପରିବେଶ ଏବେ ସମାଜ ପାଇଁ ଏକ ଆହ୍ବାନ ହୋଇଛି ।ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସ୍ବଛ୍ଛ ପରିବେଶ ସୃଷ୍ଟି ଦିଗରେ ଯେତିକି ସଚେତନ ସେତିକି ଯତ୍ମବାନ ।ହେଲେ ସୁବର୍ଣ୍ଣପୁର ସହରର ସରକାରୀ ସାର୍କିଟ ହାଉସକୁ ଦେଖିଲେ ଜଣାପଡେ ଜିଲ୍ଲା ପ୍ରଶାସନ ସ୍ବଛ୍ଛତା କାର୍ଯ୍ୟକ୍ରମରେ ଫେଲ ମାରିଛି ।ସହର ଉପକଣ୍ଠରେ ଥିବା ବଡବଡିଆ ରାଜନେତା ଓ ସରକାରୀ କର୍ମଚାରୀଙ୍କ ଗସ୍ତ ସମୟରେ ରହିବା ,ଖାଇବା ତଥା ବିଶ୍ରାମ ନେବା ସହିତ ପ୍ରଶାସନିକ ଅଧିକାରୀଙ୍କ ସହିତ ସମୀକ୍ଷା ଆଦି କରାଯାଉଥିବା ସର୍କିଟ ହାଉସ ଆବର୍ଜନାମୟ ହୋଇ ପଡିଛି ।ସର୍କିଟ ହାଉସର ଚତୁର୍ଦ୍ଦିଗରେ କୁଢ କୁଢ ଆବର୍ଜନା ସାଂଗକୁ ବ୍ୟାପକ ପରିମାଣରେ ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି ।

ଐତିହାସିକ ସୁବର୍ଣ୍ଣପୁର ସହର ଉପକଣ୍ଠରେ ରହିଛି ସର୍କିଟ ହାଉସ ।ଅତିଥିଙ୍କୁ ସ୍ବାଗତ କରିବା ସହିତ ସେମାନଙ୍କ ରହିବା ,ଖାଇବା ,ବିଶ୍ରାମ ନେବା ତଥା ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା ଆଦି କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠ ସହିତ ସୁସ୍ବାଦୁ ବ୍ୟଞ୍ଜନ ଆଦି ଦେଇ ଆପ୍ୟାୟିତ କରାଯାଉଛି ।ହେଲେ ସର୍କିଟ ହାଉସର ରାସ୍ତାଟିକୁ ବାଦ ଦେଲେ ସର୍କିଟ ହାଉସ ପରିସରରେ କୁଢ କୁଢ ଆବର୍ଜନା ପଡି ରହିଛି ।ଚତୁର୍ଦ୍ଦିଗରେ ବ୍ୟାପକ ପରିମାଣର ପାଣି ବୋତଲ ସାଂଗକୁ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଓ ବିୟର ବୋତଲ ପଡିଛି ।ସର୍କିଟ ହାଉସ ଭଳି ଏକ ହାଇ ସେନସିଟିଭି ଜୋନରେ ବ୍ୟାପକ ପରିମାଣର ମଦ ବୋତଲ ଖବର ଜଣା ପଡିବା ପରେ ବୁଦ୍ଧିଜିବୀ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି ।

ସର୍କିଟ ହାଉସର ରନ୍ଧାଶାଳର ଅପରପାର୍ଶ୍ବରେ ବ୍ୟାପକ ପରିମାଣର ଆବର୍ଜନା ଗଦା ହୋଇଛି ।ଡଷ୍ଟବିନ ରହିଛି ହେଲେ ତାକୁ ଠିକ ଭାବେ ବ୍ୟବହାର କରାଯାଇ ପାରୁନାହିଁ ।ସର୍କିଟ ହାଉସ ମଧ୍ୟ ଭାଗରେ ଥିବା ସୁନ୍ଦର ଉଦ୍ୟାନଟି ଏବେ ମରୁଭୂଇଁରେ ପରିଣତ ହୋଇଛି ।ଅତିଥିଙ୍କ ମନୋରଂଜନ ଓ ପ୍ରଶାନ୍ତି ପାଇଁ ସୃଷ୍ଟି କରାଯାଇଥିବା ପୁଷ୍ପ ଉଦ୍ୟାନର ଗଛଗୁଡିକ ମରି ପଡିଛି ।ଅତିଥିଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାରିଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ।ହେଲେ ଅବହେଳା ଯୋଗୁଁ ସର୍କିଟ ହାଉସରେ ଏକ ପ୍ରକାର ସ୍ବଚ୍ଛତା ଅଭିଯାନ ଫେଲ ମାରିଛି ।ଅପରପକ୍ଷରେ ସର୍କିଟ ହାଉସ ପରିସରରେ ବ୍ୟାପକ ପରିମାଣର ମଦ ବୋତଲ ପଡିଥିବା କଥାକୁ ଅତିରିକ୍ତ ଜିଲ୍ଲାପାଳ ଅସ୍ବୀକାର କରିଛନ୍ତି ।କିନ୍ତୁ ଆମ ଉପସ୍ଥିତିରେ ଉଦ୍ୟାନ ପୁନଃ ନିର୍ମାଣ ପାଇଁ ଜିଲ୍ଲା ଉଦ୍ୟାନ ବିଭାଗ ଓ ପରିଷ୍କାର ପରିଛନ୍ନତା ପାଇଁ ସଦର ପୌର ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ।

ସର୍କିଟ ହାଉସର ପରିବେଶକୁ ଦେଖିଲେ ଜିଲ୍ଲାର ସ୍ବଚ୍ଛତା କାର୍ଯ୍ୟକ୍ରମ ଉପରେ ସରକାରୀ ବାବୁମାନେ କେତେ ଯତ୍ମବାନ ତାହା ସ୍ପଷ୍ଟ ଭାବେ ଜଣା ପଡୁଛି ।ସରକାରୀ କାର୍ଯ୍ୟାଳୟ ଗୁଡିକରେ କିଭଳି ରହିଛି ପରିବେଶ ତାହା ସର୍କିଟ ହାଉସକୁ ଦେଖି ଭାତ ହାଣ୍ଡିରୁ ଗୋଟିଏ ବୋଲି ଅନୁମାନ କରାଯାଇ ପାରେ ।