ତାତିଲେ ମହିଳା, ଭାଙ୍ଗିଲେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଭର୍ତ୍ତି ବୋତଲ

Published By : Prameya-News7 Bureau | May 20, 2021 IST

ନବରଙ୍ଗପୁର, ୨୦/୫: ତାତିଲେ ମହିଳା, ଭାଙ୍ଗିଲେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଭରା ବତଲ। ନବରଙ୍ଗପୁର ଜିଲ୍ଲାରେ କୋରନାର ଭୟାବହତା ଭିତରେ ବିଦେଶୀ ମଦ ଦୋକାନକୁ ବିରୋଧ କାରାଯାଇଛି । ଗାଁ ଭିତରେ ବିଦେଶୀ ମଦ ଦୋକାନ ଖୋଲାକୁ ନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ତାତିଛନ୍ତି। ପେଟି ପେଟି ମଦ ଦୋକାନ ଭିତରୁ ଆଣି ବିଚ ରାସ୍ତାରେ ଭାଙ୍ଗି ଦେଇଛନ୍ତି ଗ୍ରାମବାସୀ l

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବାକୁ ନେଇ ସନ୍ତୋଷପୁର ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ l ଜିଲ୍ଲା ପ୍ରଶାସନ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନେବ ବୋଲି ପ୍ରତିଶୃତି ଦେଇଥିଲା l କିନ୍ତୁ ପ୍ରଶାସନର ପ୍ରତିଶ୍ରୁତିର ଅବଧି ସରି ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବିଦେଶୀ ମଦ ଦୋକାନ ବନ୍ଦ ନକରିବାରୁ ଆଜି ଗ୍ରାମର ଶତାଧିକ ପୁରୁଷ- ମହିଳା ବିଦେଶୀ ମଦ ଦୋକାନ ଭିତରେ ପଶି ମଦ ସବୁ କାଢି ଆଣି ଭଙ୍ଗାରୁଜା କରିଛନ୍ତି।

ସୂଚନା ଅନୁସାରେ, ସନ୍ତୋଷପୁର ଗ୍ରାମ ଠାରେ ବହୁ ବର୍ଷ ହେଲା ଗୋଟିଏ ବିଦେଶୀ ମଦ ଦୋକାନ ଖୋଲାଯାଇଛି । ଉକ୍ତ ଦୋକାନଟି ମଙ୍ଗଳ ବିଭାଗ ଆଶ୍ରମ ସ୍କୁଲର ଅତି ନିକଟରେ ରହିଛି । ଏହାସହ ଗ୍ରାମର ମଧ୍ୟ ଭାଗରେ ଉକ୍ତ ଦୋକାନ ଖୋଲାଯାଇଛି । ଏହା ଦ୍ୱାରା ଉକ୍ତ ବିଦେଶୀ ଦୋକାନରେ ମଦୁଆଙ୍କ ଭିଡ଼ ଜମୁଥିବା ବେଳେ ସ୍କୁଲ ଯାଉଥିବା ଛାତ୍ରୀମାନଙ୍କୁ ଅନେକ ସମୟରେ ମଦୁଆଙ୍କ ଅଶ୍ଲୀଳ ବ୍ୟବହାରର ସାମ୍ନା କରିବାକୁ ପଡୁଛି ।

ଗାଁ ଭିତରେ ମଦ ଦୋକାନ ଥିବା ହେତୁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଗାଁରେ ଦିନକୁ ଦିନ ମଦୁଆଙ୍କ ପାଦ୍ରୁଭାବ ବଢୁଥିବା ବେଳେ ଭବିଷ୍ୟତରେ ଗ୍ରାମର ଅନେକ ଯୁବକ ମଧ୍ୟ ମଦ କବଳରେ ସହଜରେ କବଳିତ ହେବାର ଆଶଙ୍କା ରହିଛି l ଯାହାକୁ ବିରୋଧ କରି ଗ୍ରାମବାସୀ ବହୁତ ଦିନ ହେବ ଉକ୍ତ ବିଦେଶୀ ମଦ ଦୋକାନକୁ ସେଠାରୁ ଉଚ୍ଛେଦ କରିଦେବା ସହ ଗ୍ରାମରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ । ଏନେଇ ମଧ୍ୟ ଗତ କିଛିଦିନ ତଳେ ଗ୍ରାମର ଶତାଧିକ ଗ୍ରାମବାସୀ ଉକ୍ତ ବିଦେଶୀ ଦୋକାନର କର୍ମଚାରୀଙ୍କୁ ଅଟକ ରଖି ଦୋକାନ ବନ୍ଦ ଦାବିରେ ଆନ୍ଦୋଳନ କରିଥିଲେ ।

ଖବର ପାଇ କୋଷାଗୁମୁଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ଅଟକ ଥିବା କର୍ମଚାରୀଙ୍କୁ ଛାଡି ଦେଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି ପୁଣି ଗ୍ରାମର ଶତାଧିକ ମହିଳାଙ୍କ ନେତୃତ୍ୱରେ ଗ୍ରାମର ପୁରୁଷ ମାନେ ଏକତ୍ରିତ ହୋଇ ବିଦେଶୀ ମଦ ଦୋକାନ ଭିତରୁ ମଦ ସବୁକୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.