ମଦ ବନ୍ଦ ପରେ ବଦଳି ଯାଇଛି ଜୁରଡି ଗାଁର ଚିତ୍ର, ଏବେ ଅନ୍ୟ ଗାଁ ଲାଗି ପାଲଟିଛି ଆଦର୍ଶ
19/10/2019 at 9:47 PM

ରାୟଗଡା ୧୯।୧୦: ମଦ ପାଇଁ ଉଜୁଡି ଯାଉଛି ସଂସାର। ଅକାଳ ମୃତ୍ୟୁ ମଧ୍ୟ ଗ୍ରାସ କରୁଛି। ତେଣୁ ଏହାକୁ ଠିକ ବୁଝି ମଦକୁ ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରିଛନ୍ତି ଗ୍ରାମବାସୀ। ଫଳରେ ଗାଁରୁ ଏବେ ମଦୁଆ ଉଭାନ ହୋଇଯାଇଛନ୍ତି। ରାୟଗଡା ଜିଲ୍ଲାର ଜୁରୁଡି ଗାଁର ଲୋକେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଘଟଣାକୁ ନୁୟଜ-7 ର କ୍ୟାମ୍ପେନ ସହ ଯୋଡିଛନ୍ତି ସମାଜସେବୀ।

ଗାଁରେ ମଦର ପ୍ରସାର ଯୋଗୁ ବିଭିନ୍ନ ରୋଗ ସାଙ୍ଗକୁ ମାଡି ଆସୁଥିଲା ଅକାଳ ମୃତ୍ୟୁ । ଏହାର କାରଣ ଖୋଜିଲେ ଗ୍ରାମବାସୀ। ତେବେ ମଦ ଏହାର ମୂଳ କାରଣ ବୋଲି ଜଣାପଡିବା ପରେ ଗ୍ରାମବାସୀ ଏହାକୁ ଗାଁରେ ନିଷିଦ୍ଧ କରିଛନ୍ତି। ଏଣୁ ଗାଁରେ ମଦ ପିଇବା, ରାନ୍ଧିବା ଓ ବିକ୍ରି ଉପରେ ସାମାଜିକ କଟକଣା ଲାଗିଥିଲା। ଫଳରେ ଗାଁ ଏବେ ସମ୍ପୂର୍ଣ ମଦମୁକ୍ତ ହୋଇଛି ।

ରାୟଗଡା ବ୍ଲକ ବାଇସିଂ ପଞ୍ଚାୟତର ଜୁରଡି ଏକ ଛୋଟ ଗାଁ । ଏହି ଗାଁରେ ପୂର୍ବରୁ ସମସ୍ତେ ମଦ୍ୟପାନ କରୁଥିଲେ। ତବେ ଏହାଦ୍ବାରା ଅନେକ ଲୋକ ରୋଗରେ ଆକ୍ରାନ୍ତ ହେଉଥିଲେ। ଅନେକ ଲୋକ ଅକାଳରେ ମୃତ୍ୟୁର ବି ଶିକାର ହୋଇଥିଲେ। ଏଣୁ ଗାଁରେ ଲୋକେ ବୈଠକ କରି ମୃତ୍ୟୁ ଓ ରୋଗର କାରଣ ଖୋଜିଥିଲେ। ମଦ ପାଇଁ ଏହା ଘଟୁଥିବା ଜଣାପଡିବା ପରେ ସମସ୍ତ ଗ୍ରାମବାସୀ ମଦ ବନ୍ଦ ପାଇଁ ନିଷ୍ପତି ନେଇଥିଲେ।

ଗ୍ରାମବାସୀ ଆରାଧ୍ୟ ଠାକୁରଙ୍କୁ ସ୍ମରଣ କରି ମଦକୁ ନାଁ କହିଥିଲେ। ବର୍ତମାନ ଜୁରୁଡି ଗ୍ରାମର ସମସ୍ତ ପରିବାର ଖୁସିରେ ଜୀବନ ଅତିବାହିତ କରୁଛନ୍ତି। କଷ୍ଟାର୍ଜିତ ଧନରେ ସଂସାର ଗାଡି ଗଡେଇ ଚାଲିଛନ୍ତି ଗ୍ରାମବାସୀ । ପୂର୍ବରୁ ଲୋକେ ସମସ୍ତ କଷ୍ଟାର୍ଜିତ ଧନ ମଦ ଭାଟିରେ ଦେଇ ଆସୁଥିଲେ। ଏବେ ମଦ ଭାଟି ବନ୍ଦ ହୋଇଯାଇଛି। ଲୋକେ ମଦ ପାଇଁ ରାୟଗଡା ଓ ଜିମିଡିପେଟା ଯାଇ ମଦ ପିଉଥିଲେ।ହେଲେ ମଦ ଛାଡିବା ଲାଗି ଲୋକେ ହଲପ କରିବା ପରଠାରୁ ସେଠାକୁ ମଧ୍ୟ ଯାଉ ନାହାନ୍ତି। ଏଣୁ ସେସବୁ ମଦଭାଟି ବି କାରବାର ନଥିବାରୁ ଏବେ ବନ୍ଦ ହୋଇଗଲାଣି। ଏହିଭଳି ଘଟଣାକୁ ବିଭିନ୍ନ ମହଲରେ ଏବେ ପ୍ରଶଂସା କରାଯାଉଛି। ଜୁରୁଡି ଗାଁର ଲୋକଙ୍କୁ ଏବେ ଅନ୍ୟ ଗାଁର ଲୋକେ ବି ଅନୁକରଣ କଲେଣି।