ଲିଙ୍ଗରାଜ ମନ୍ଦିର ସ୍ଵତନ୍ତ୍ର ଆଇନକୁ ମଞ୍ଜୁରୀ, ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ମିଳିଲା ଅନୁମତି

Published By : Prameya-News7 Bureau | December 14, 2020 IST

ଭୁବନେଶ୍ଵର ୧୪।୧୨: ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲିଙ୍ଗରାଜ ମନ୍ଦିର ସ୍ଵତନ୍ତ୍ର ଆଇନ୍‌କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏଥିସହ ପୁରୀ ଓ ଯାଜପୁରରେ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

ଶ୍ରୀ ଲିଙ୍ଗରାଜ  ମନ୍ଦିର ପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ଵ ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହା ଦ୍ଵାରା ମନ୍ଦିରର କାର୍ଯ୍ୟଗୁଡିକର ଉତ୍ତମ ଓ ସଠିକ୍ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ। ଏହା ମନ୍ଦିରର ସଂପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ।  

ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ନେଇ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ଵ ଓ କ୍ଷମତା, ମନ୍ଦିର ସଂପତ୍ତି ସୁରକ୍ଷା ନେଇ ବ୍ୟବସ୍ଥା, ମନ୍ଦିରର ସ୍ଥାବର ଓ ଅସ୍ଥାବର ସଂପତ୍ତିର ସୁରକ୍ଷା ଏବଂ ପରିଚାଳନା, ସେବକ ମାନଙ୍କ ଭୂମିକା ଓ ଦାୟିତ୍ଵ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତ୍ୟାଦି ରହିଛି।

ଏଥିସହ ପୁରୀ, ଯାଜପୁରରେ ମେଡିକାଲ କଲେଜ ନେଇ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ସେହି ପରି ଯାଜପୁରରେ ୧୦୦ ସିଟ୍ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ କରାଯିବ। ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୪୨୬ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଉଭୟ ମେଡିକାଲ କଲେଜ୍‌ର ନିର୍ମାଣ ତିନି ବର୍ଷ ଭିତରେ ସାରିବାକୁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.