Covid-19: ପୁଣି ଆରମ୍ଭ ହେଲା ଶ୍ରମିକଙ୍କ ପଳାୟନ, ମହାରାଷ୍ଟ୍ରରୁ ପଳାଉଛନ୍ତି ଶହଶହ ପ୍ରବାସୀ, ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ରେଳବାଇଙ୍କ ଘୋଷଣା
6/04/2021 at 4:45 PM

ମୁମ୍ବାଇ ୬।୪: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ଦେଶର ମହାରାଷ୍ଟ୍ର ରାଜ୍ୟ ଗୁରୁତର ପ୍ରଭାବିତ ହୋଇଛି। ସରକାର କଡ଼ା କଟକଣା ଲଗାଉଥିବା ବେଳେ ଆଗକୁ ଲକଡାଉନ୍ ଆଶଙ୍କା କରି ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଓ କର୍ମଚାରୀ ଏବେ ପଳାୟନ କରୁଛନ୍ତି। ଫଳରେ ଗତବର୍ଷ ଲକଡାଉନ ଘୋଷଣା ପରେ ଏପ୍ରିଲ ଓ ମେ ମାସରେ ଦେଖାଯାଇଥିବା ଦୃଶ୍ୟ ପୁଣି ମହାରାଷ୍ଟ୍ର ରାସ୍ତାଘାଟରେ ଦେଖାଗଲାଣି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ରେଳବାଇ( ସେଣ୍ଟ୍ରାଲ ରେଲୱେ) ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ଘୋଷଣା କରିଛନ୍ତି।

ଏଥିରେ କେନ୍ଦ୍ରୀୟ ରେଳ ମୁମ୍ବାଇରୁ ଗୋରଖପୁର, ପାଟନା ଓ ଦରଭଙ୍ଗାକୁ ଏବଂ ପୁଣେରୁ ଦାନାପୁର ପର୍ଯ୍ୟନ୍ତ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଲାଗି ପଦକ୍ଷେପ ନେଉଥିବା କହିଛନ୍ତି। ଏବେ ମହାରାଷ୍ଟ୍ରରେ ସପ୍ତାହର କାର୍ଯ୍ୟଦିବସ ରାତ୍ରିରେ କର୍ଫ୍ୟୁ ଜାରି କରିଥିବା ବେଳେ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ କଡାକଡି ଲକଡାଉନ ଜାରି କରିଛନ୍ତି।

ଲୋକଙ୍କୁ ଘରକୁ ଫେରିଯିବାକୁ ଅନୁମତି ଦେଉଛନ୍ତି ସଂସ୍ଥା
ମହାରାଷ୍ଟ୍ରରେ ଏବେ ଯେଉଁଲୋକେ ବେଡିଂ ବାନ୍ଧି ନିଜନିଜ ଗାଁକୁ ଫେରିବାରେ ଲାଗିଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ହୋଟେଲ, ନିର୍ମାଣ ଓ ଟ୍ରାନ୍ସପୋର୍ଟ ଉଦ୍ୟୋଗ ସହ ଜଡିତ। ଏଣୁ ଗତଥର ଭଳି ଯଦି ଅଚାନକ ଲକଡାଉନ୍ ଘୋଷଣା ହୁଏ ତେବେ ଘରକୁ ଫେରିବାରେ ସମସ୍ୟା ଉପୁଜିବା ଆଶଙ୍କାରେ ବହୁ ସଂଖ୍ୟାରେ ଲୋକେ ନିଜନିଜ ଘରକୁ ଫେରିବା ଆରମ୍ଭ କରିଦେଲେଣି। ଏଥିଲାଗି ସେମାନେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ମୁଖ୍ୟମାନେ ସେମାନଙ୍କୁ ନିଜ ଆଡୁ ଅନୁମତି ଦେଇଛନ୍ତି।

ଏପ୍ରିଲ ୧୫ରୁ ଚାଲିବ ଅହମ୍ମଦାବାଦ-ଗୋରଖପୁର ସୁପରଫାଷ୍ଟ ଟ୍ରେନ୍
ଲୋକେ ଘରକୁ ଫେରିବା ଲାଗି ବିକଳ ହେଉଥିବା ବେଳେ ଗତ ବର୍ଷ କରୋନା ଆରମ୍ଭ କାଳରେ ବନ୍ଦ ହୋଇଯାଇଥିବା ଅହମ୍ମଦାବାଦ-ଗୋରଖପୁର ସୁପରଫାଷ୍ଟ ଏକ୍ସପ୍ରେସ୍କୁ ଏପ୍ରିଲ ୧୫ରୁ ପୁଣି ଚାଲୁ ହେବ ବୋଲି ରେଳବାଇ ଘୋଷଣା କରିଛନ୍ତି। ଏହା ସପ୍ତାହକୁ ୨ ଦିନ ଚଲିବ ଓ ଏହିଟ୍ରେନ ଚାଲିଲେ ଦୂରଦୂରାନ୍ତର ଲୋକଙ୍କ ଘରକୁ ଫେରିବା ସହଜ ହେବ। ଏହି ଟ୍ରେନରେ ୧୬ଟି ବଗି ରହିବ ଓ ଯାତ୍ରୀଙ୍କୁ ରେଳ ଯାତ୍ରା ଲାଗି କୋଭିଡ ନିୟମ ପାଳନ କରିବାକୁ ହେବ।

ଗତବର୍ଷ ଲୋକେ ପାଦରେ ଚାଲିଚାଲି ଫେରିଥିଲେ ଘରକୁ
୨୫ ମାର୍ଚ୍ଚ ୨୦୨୦ରେ ପ୍ରଧାନମନ୍ତ୍ରୀ ପ୍ରଥମ ଲକଡାଉନ ଘୋଷଣା କରିଥିଲେ। ତେବେ ପରେ ଏହା ସମ୍ପ୍ରସାରଣ କରାଯିବା ଯୋଗୁ ଲୋକେ ଘରକୁ ଫେରିବା ଲାଗି ଯାନବାହନ ସୁବିଧା ନ ପାଇ ପ୍ରଚଣ୍ଡ ଗ୍ରୀଷ୍ମରେ ପାଦରେ ଚାଲିଚାଲି ନିଜ ନିଜ ଘର ଅଭିମୁଖେ ବାହାରିପଡିଥିଲେ। ମହାରାଷ୍ଟ୍ର ସାଙ୍ଗକୁ ଗୁଜରାଟରୁ ହଜାର ହଜାର ଶ୍ରମିକ ଏକକାଳୀନ ଚାଲିବା ଆରମ୍ଭ କରିବା ଯୋଗୁ ଦେଶରେ ପରିସ୍ଥିତି ଅସମ୍ଭାଳ ହୋଇପଡିଥିଲା। ଭୀଷଣ ଗରମ ସାଙ୍ଗକୁ ଲୋକେ ରାସ୍ତାରେ ଖାଦ୍ୟ ପାନୀ ନ ପାଇ ପ୍ରାଣ ହରାଇଥିବା ବେଳେ ରେଳ ଧାରଣାରେ ଚାଲୁଥିବା ଲୋକେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।