କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା

Published By : Prameya-News7 Bureau | December 05, 2021 IST

ଶ୍ରୀନଗର ୦୫।୧୨: ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ରବିବାର କହିଛନ୍ତି ଜାମ୍ମୁ-କାଶ୍ମୀରରେ ପୁଣି ଥରେ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଲାଗୁ କରିବା ପାଇଁ ହେଲେ ରାଜ୍ୟବାସୀଙ୍କୁ କୃଷକଙ୍କ ପରି ବଳିଦାନ ଦେବାକୁ ପଡିବ। ପାର୍ଟିର ସଂସ୍ଥାପକ ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ୧୧୬ତମ ଜୟନ୍ତୀ ଅବସରରେ ନସିମବାଗ ସ୍ଥିତ ତାଙ୍କ ମକବରେରେ ସଭାକୁ ସମ୍ବୋଧିତ କରି ଅବଦୁଲା ଏହା କହିଛନ୍ତି। କିନ୍ତୁ ତାଙ୍କ ପାର୍ଟି କୌଣସି ବି ହିଂସାକୁ ସମର୍ଥନ କରେ ନାହିଁ ବୋଲି କହିଛନ୍ତି।

ସିଙ୍ଘୁ ବର୍ଡରରେ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି କୃଷକ ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନଭେମ୍ବର ୧୯ରେ ତିନି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିଲେ। ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି  ବିବାଦୀୟ ଆଇନ ପ୍ରତ୍ୟାହାର ବିଧେୟକ ଗୃହୀତ ହୋଇଛି।  ଏଥିରେ ପ୍ରେରିତ ହୋଇ ରବିବାର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କହିଛନ୍ତି, କୃଷକଙ୍କ ପରି କାଶ୍ମୀରବାସୀଙ୍କୁ ବଳିଦାନ ଦେବାକୁ ପଡିବ।  ତେବେ ଯାଇ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା(ଅନୁଚ୍ଛେଦ ୩୭୦ ଓ ୩୫ଏ) ଲାଗୁ କରିବେ।

ଅବଦୁଲ୍ଲା କହିଛନ୍ତି, ୧୧ ମାସର ଆନ୍ଦୋଳନ ସମୟରେ ୭୦୦ କୃଷକଙ୍କ ମୃତ୍ୟୁ ଘଟିଛି। କୃଷକଙ୍କ ବଳିଦାନରେ  ହିଁ କେନ୍ଦ୍ର ସରକାର ତିନି କୃଷି ଆନଇ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ଆମେ ନିଜର ଅଧିକାର ଫେରି ପାଇବା ପାଇଁ ଠିକ୍ ସେହିଭଳି ବଳିଦାନ ଦେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.