ବଜ୍ରାଘାତ ରଚିଲା ବିତ୍ପାତ: କେଉଁଠି ପୁରା ପରିବାର ତ କେଉଁଠି ମାରିଛି ଶିଶୁ, ୪୪ ମୃତ

Published By : Prameya-News7 Bureau | June 25, 2020 IST

ପାଟନା ୨୫।୬:  ଦୀର୍ଘ ଗ୍ରୀଷ୍ମ ପ୍ରବାହ ପରେ ଗୁରୁବାର ବିହାରର ବିଭିନ୍ନ ସ୍ଥାନରେ ବର୍ଷା ଲୋକଙ୍କୁ ଆଶ୍ୱସ୍ତ କରିଛି। ତେବେ ବର୍ଷା ସାଙ୍ଗକୁ ବଜ୍ରପାତ ବିପର୍ଯ୍ୟୟ ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ଏପର୍ଯ୍ୟନ୍ତ ୪୪ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳୁଥିବା ବେଳେ ଏଥିରେ କେଉଁଠି ଗୋଟିଏ ପରିବାରର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କେଉଁଠି ଶିଶୁ ପ୍ରାଣ ହରାଇଥିବାର ହୃଦୟ ବିଦାରକ ଖବର ମିଳୁଛି।

ସବୁଠୁ ଅଧିକ ଗୋପାଲ ଗଞ୍ଜରେ ୧୪ ଜଣ ଲୋକ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି।  ଏଠାରେ ଅନ୍ୟ ୪ ଜଣ ଲୋକେ ପୋଡି ହୋଇ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଶିବାନରେ ବଜ୍ରପାତ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରସିଦଚକ୍, ସୁରବଲିଆ ଓ କୁତୁବ ଛପରାର ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଥିବାର ଜଣାପଡିଛି। ବର୍ଷା ଓ ବଜ୍ରପାତ ବେଳେ ଲୋକେ  ବିଲବାଡିକୁ ଯାଇ ପ୍ରାଣ ହରାଇଥିବାର କୁହାଯାଇଛି।

ମଧୁବନୀରେ ବଜ୍ରାଘାତଯୋଗୁ ଦମ୍ପତ୍ତିଙ୍କ ସମେତ ମୋଟ ୭ ଜଣ ପ୍ରାଣ ହରାଇଥିବାର ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି। ତେବେ ଅନ୍ୟ ମୃତକମାନେ ଚାଷୀ ବୋଲି ଜଣାପଡିଛି। ଧାନ ରୋଇବା ଲାଗି ବିଲକୁ ଯାଇଥିବା ବେଳେ ବଜ୍ରପାତ ହେବାରୁ ସେମାନଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜ୍ୟର ଭାଗଲପୁରରେ ୫, ବାଙ୍କାରେ ୪, ମୋତିହାରୀରେ ୨, ନରକଟିଆ ଗଞ୍ଜରେ ୨, କିଶନ ଗଞ୍ଜରେ ୧, ସୀମାମଢୀରେ ୧, ଦରଭଙ୍ଗାରେ ୧ ଓ ଶିବହାରରେ ଜଣକର ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.