ବଜ୍ରପାତ ପୁଣି ରଚିଲା ବିତ୍ପାତ, ବିଭିନ୍ନ ସ୍ଥାନରେ ୧୦ ମୃତ

Published By : Prameya-News7 Bureau | July 19, 2020 IST

ପାଟନା ୧୯।୭: ବଜ୍ରପାତ ପୁଣି ରଚିଛି ବିତ୍ପାତ । ରବିବାର ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ବିହାରର ୭ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ବଜ୍ରପାତ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ନିମନ୍ତେ ଶୋକ ବ୍ୟକ୍ତ କରିବା ସହ ସେମାନଙ୍କ ପରିଜନଙ୍କଲାଗି ତୁରନ୍ତ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। 

ରବିବାର ବଜ୍ରପାତ ଯୋଗୁ ପୁର୍ଣ୍ଣିୟା ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବେଗୁସରାୟରେ ୨, ରାଜଧାନୀ ପାଟନା, ସହରସା, ପୂର୍ବ ଚମ୍ପାରଣ, ମାଧେପୁରା ଓ ଦରଭଙ୍ଗାରେ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଥିବା ରାଜ୍ୟ ପ୍ରଶାସନିକ ସୂତ୍ରରୁ ଜଣାପଡିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଭଳି ଭୟଙ୍କର ପ୍ରାକୃତିକ ବିତ୍ପାତରେ ପୀଡିତ ଲୋକଙ୍କ ପରିଜନଙ୍କ ସହ ସରକାର ଅଛନ୍ତି ବୋଲି ଭରସା ଦେଇଛନ୍ତି।

ରାଜ୍ୟରେ ବର୍ଷା ଋତୁ ଆଗମନ ସହ ବଜ୍ରପାତ ତାଣ୍ଡବ ରଚିଛି। ଏଣୁ ଲୋକଙ୍କୁ ପାଗ ଖରାପ ଥିବା ବେଳେ ସତର୍କତା ଅବଲମ୍ବନ କରିବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଭଳି ସମୟରେ ଘରୁ ବାହରକୁ ନ ବାହାରିବା ଓ ଏଥିଲାଗି ବିପର୍ଯ୍ୟୟ ପ୍ରସମନ ବିଭାଗ ପକ୍ଷରୁ ଜାରି କରାଯାଉଥିବା ସତର୍କତା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.