ଏମିତି ବି ଆସେ ମୃତ୍ୟୁ ! ବଜ୍ରପାତରେ ଟଳିପଡ଼ିଲେ ପରିବାରର ୫ ସଦସ୍ୟ

Published By : Prameya-News7 Bureau | July 03, 2021 IST

ରାଞ୍ଚି ୩/୦୭: ଏମିତି ବି ଆସେ ମୃତ୍ୟୁ !  ବଜ୍ରପାତରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ଶନିବାର ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର ଲରତା ପଞ୍ଚାୟତ ଅନ୍ତର୍ଗତ ଡହୁଟୋଲି ଗାଁରେ ବଜ୍ରପାତ ନେଇଛି ୫ ଜୀବନ। ମୃତକଙ୍କ ମଧ୍ୟରେ ମଙ୍ଗା​‌ ମୁଣ୍ଡା, ପୁନା ମୁଣ୍ଡା, ଜିବନ୍ତୀ ମୁଣ୍ଡାଇନ୍‌, ଜୟମା ମୁଣ୍ଡାଇନ ଏବଂ ଆୟୁମ ମୁଣ୍ଡା ସାମିଲ। ଚଳିତ ବର୍ଷ ବଜ୍ରପାତରେ ଖୁଣ୍ଟି ଜିଲ୍ଲାରେ ୧୬ ଜଣଙ୍କ ଜୀବନ ଯାଇଛି।

ଏହି ପରିବାରରେ ଏବେ ୩ ଜଣ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟ ଏବେ ଜଣେ ଦିଲ୍ଳୀରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ,ଶନିବାର ପରିବାରର ୫ ସଦସ୍ୟ ନିଜ କ୍ଷେତରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଦାଉରୁ ରକ୍ଷା ପାଇବାକୁ ସେମାନେ ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ।

ଠିକ୍‌ ସେତିକି ବେଳେ ଆକଶରୁ ଖସିଲା ମୃତ୍ୟୁ। ଘଟଣାସ୍ଥଳରେ ହିଁ ସମସ୍ତେ ଟଳିପଡ଼ିଲେ। ଏନେଇ ଖବର ପାଇଁ ସ୍ଥାନୀୟ ବିଡିଓ  ଏବଂ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚିଥି​‌ଲେ। ତେବେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ ନେଇ ଜିଲ୍ଲାରେ ଶୋକ ଖେଳିଯାଇଛି। ଅନ୍ୟପଟେ ବିଧାୟକ ନୀଳକଣ୍ଠ ସିଂହ ମୁଣ୍ଡା ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.