ନବମ ଶ୍ରେଣୀ ଛାତ୍ରୀକୁ ଗିଫ୍ଟ ଦେବା ବାହାନାରେ ଦୁଷ୍କର୍ମ କଲା ଲିଫ୍ଟମ୍ୟାନ୍ : ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 26, 2019 IST

ଗୁରୁଗ୍ରାମ୍ ୨୬/୯: ଗୁରୁଗ୍ରାମର ଡିଏଲଏଫ ଫେଜ-୨ ଥାନା ଅଞ୍ଚଳର ପଶ ସୋସାଇଟିରେ ଗିଫ୍ଟ ଦେବା ବାହାନାରେ ଜଣେ ଲିଫ୍ଟମ୍ୟାନ୍ ନବମ ଶ୍ରେଣୀର ଛାତ୍ରୀଙ୍କୁ ଛାତକୁ ନେଇ ଯାଇ ଦୁଷ୍କର୍ମ କରିଛି। ଏହା ପରେ ଅଭିଯୁକ୍ତ ପୀଡ଼ିତା ଛାତ୍ରୀଙ୍କୁ ଗର୍ଭ ନିରୋଧକ ବଟିକା ମଧ୍ୟ ଖୁଆଇଛି।ଛାତ୍ରୀ କାନ୍ଦୁଥିବା ଦେଖି ତାଙ୍କ ପଡ଼ୋଶୀ ପଚାରିବାରୁ ସେ ସବୁ କଥା କହିଥିଲେ। ପଡ଼ୋଶୀ ପୀଡ଼ିତାଙ୍କ ମାଆଙ୍କୁ ସବୁ କଥା ଫୋନରେ କହି ପୀଡ଼ିତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପୋଲିସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସର କହିବାନୁସାରେ ,ଡିଏଲଏଫ ଫେଜ-୨ର ପଶ ସୋସାଇଟିରେ ଜଣେ କେମିକାଲ ଇଞ୍ଜିନିୟର ତାଙ୍କ ପରିବାର ସହିତ ରୁହନ୍ତି। ତାଙ୍କର ଏକମାତ୍ର ନାବାଳିକା ଝିଅ ନାମୀ (ଛଦ୍ମନାମ) ଏକ ପ୍ରାଇଭେଟ୍ ସ୍କୁଲରେ ନବମ ଶ୍ରେଣୀର ଛାତ୍ରୀ। ଛାତ୍ରୀଙ୍କ ବନ୍ଧୁତା ୩ମାସ ପୂର୍ବେ ସୋସାଇଟିର ଲିଫ୍ଟମ୍ୟାନ୍ ଅରୁଣ ଶର୍ମା(୨୧) ସହ ହୋଇଥିଲା। ଗତ ମଙ୍ଗଳବାର ନାବାଳିକାଙ୍କ ବାପା ଅଫିସକୁ ଚାଲିଯାଇଥିଲେ। ନାବାଳିକାଙ୍କ କୌଣସି କାମରେ ଦିଲ୍ଲୀ ଯାଇଥିଲେ। ଏହି ସମୟରେ ଛାତ୍ରୀ ଘରେ ଏକୁଟିଆ ଥିଲେ।

ଏହାର ସୁଯୋଗ ନେଇ ଲିଫ୍ଟମ୍ୟାନ ତାଙ୍କୁ ଗିଫ୍ଟ ଦେବା ବାହାନାରେ ସୋସାଇଟିରେ ଥିବା ଟାଓ୍ବାର ଛାତକୁ ନେଇଯାଇ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହା ପରେ ତାଙ୍କୁ ଗର୍ଭ ନିରୋଧକ ବଟିକା ଖାଇବାକୁ ଦେଇଥିଲା। ଛାତ୍ରୀ କାନ୍ଦି କାନ୍ଦି ତାଙ୍କ ଫ୍ଲାଟକୁ ଆସୁଥିବା ଦେଖି ତାଙ୍କ ପଡ଼ୋଶୀ କ’ଣ ହୋଇଛି ପଚାରିବାରୁ ଛାତ୍ରୀ ସବୁକଥା କହିଥିଲେ।

ପଡ଼ୋଶୀ ଛାତ୍ରୀଙ୍କ ମାଆଙ୍କୁ ଫୋନ୍ କରି ସବୁ କଥା କହିଥିଲେ ଏବଂ ଛାତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଘଟଣାର ସୂଚନା ପୋଲିସକୁ ଦିଆଯାଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମାଆଙ୍କ ବୟାନ ଆଧାରରେ ମାମଲା ରୁଜୁ କରିଥିଲା।

ଏହା ପରେ ପୋଲିସ୍ ପଟେଲ୍ ନଗରରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତକୁ ଗତକାଲି ଅଦାଲତରେ ହାଜର କରାଯାଇଥିଲା । ସେଠାରୁ ତାକୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ଭୋଣ୍ଡସି ଜେଲ୍ ପଠାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.