ମର୍କଜରେ ସାମିଲ ବିଦେଶୀ ଜମାତିଙ୍କୁ ଆଜୀବନ ଭାରତ ମନା : ମୌଲାନା ସାଦଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା କଡାକଡି

Published By : Prameya-News7 Bureau | June 04, 2020 IST

ନୂଆଦିଲ୍ଲୀ ୦୪/୦୬ : ଦିଲ୍ଲୀ ନିଜାମୁଦ୍ଦିନ ସ୍ଥିତ ତବଲିଗି ମର୍କଜରେ ଆୟୋଜିତ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ବିଦେଶୀ ଜମାତିଙ୍କୁ ଭାରତକୁ ପ୍ରବେଶ ନେଇ ଆଜୀବନ ପ୍ରତିବନ୍ଧକ ଲଗାଇ ଦିଆଯାଇଛି | ଦିଲ୍ଲୀ ପୋଲିସର ଅଭିଯୋଗକ୍ରମେ ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛନ୍ତି | ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇଛନ୍ତି | ତାଛଡା ଅପରାଧ ଶାଖା ମୌଲାନା ମହମ୍ମଦ ସାଦ ବିରୋଧରେ ଯାଞ୍ଚକୁ ଆଗକୁ ବଢ଼ାଇଛନ୍ତି | ଖୁବ ଶୀଘ୍ର ମୌଲାନା ସାଦ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ |

ସୋମବାର ପର୍ଯ୍ୟନ୍ତ ମଧ୍ୟ ମୌଲାନା ନିଜର କରୋନା ଟେଷ୍ଟ ରିପୋର୍ଟ ହସ୍ତାନ୍ତର କରିନାହାନ୍ତି | ମୌଲାନା ଏବେ ମଧ୍ୟ ଜାମିଆନଗରରେ ନିଜ ପରିବାର ସହ ରହୁଥିବା ଆଶଙ୍କା କରାଯାଉଛି | ଅରପଡ଼ା ଶାଖାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ତବଲିଗି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିବା ୯୬୦ ରୁ ୭୨୩ ବିଦେଶୀ ଜମାତି ନିଜ ପାସପୋର୍ଟ ଅପରାଧ ଶାଖାରେ ଜମା କରିଛନ୍ତି | ବାକି ବିଦେଶୀ ନିଜ ପାସପୋର୍ଟ ଜମା କରିନାହାନ୍ତି | ଯେଉଁମାନେ ନିଜର ପାସପୋର୍ଟ ଜମା କରିନାହାନ୍ତି ସେମାନେ ପାସପୋର୍ଟକୁ ନେଇ ନାନା ବାହାନା କରୁଛନ୍ତି | ତେବେ ବିଦେଶୀ ଜମାତି ଦିଲ୍ଲୀରୁ ଯେଉଁ ଜାଗାରେ ଥିଲେ ସେଠାକାର ସ୍ଥାନୀୟ ପୋଲିସ ସେମାନଙ୍କ ପାସପୋର୍ଟ ଜବତ କରିଥାଇପାରେ | ସେନେଇ ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ | ସେଥିପାଇଁ ଅପରାଧ ଶାଖା ବର୍ତ୍ତମାନ ସେହି ସବୁ ଥାନା ପୋଲିସକୁ ଯୋଗାଯୋଗ କରୁଛି |

ଅପରାଧ ଶାଖାର ଅଧିକାରୀ କହିଛନ୍ତି ଜେ,ଏ ସମସ୍ତ ବିଦେଶୀ ଜମାତିଙ୍କ ବିରୋଧରେ ୧୪ ବିଦେଶୀ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ବିଦେଶୀ ଜମାତିଙ୍କ ବିରୋଧରେ ଭିସା ନିୟମ ଉଲଙ୍ଘନ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ଏମାନେ ସମସ୍ତେ କୋର୍ଟଙ୍କ ଆଦେଶ ପରେ ୯ଟି କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି | ଏହି କ୍ଵାରେଣ୍ଟାଇନ ସେଣ୍ଟର ଦିଲ୍ଲୀରେ ଭିନ୍ନ ଭିନ୍ନ ଜାଗାରେ କରାଯାଇଛି | ବର୍ତ୍ତମାନ ଜମାତିଙ୍କ ବିରୋଧରେ ଆଗାମୀ ପଦକ୍ଷେପ କଣ ନିଆଯିବ ତାହା କୋର୍ଟଙ୍କ ଆଦେଶ ଉପରେ ନିର୍ଭର କରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.