ସବୁ ଆଡେ ନିରବତା ଛାଇ ରହିଛି, ତେଣୁ ଭୁଲି ଯାଆନ୍ତୁ ଆଇପିଏଲ: ସୌରଭ ଗାଙ୍ଗୁଲି

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ ୧୨।୦୪: ସମଗ୍ର ଦୁନିଆରେ କୋଭିଡ୍-୧୯ ହାହାକାର ସୃଷ୍ଟି କରିଛି। ସଂପ୍ରତି ପୂରା ଦୁନିଆ ସ୍ଥାଣୁ ପାଲଟି ଯାଇଛି। ଏହାର ପ୍ରକୋପକୁ ରୋକିବା ପାଇଁ ବିଶ୍ଵର ଅନେକ ଦେଶରେ ଲକ୍‌ଡାଉନ୍‌ ଲାଗିଛି। ଏହି କାରଣରୁ କ୍ରିକେଟ୍‌ ସବୁଠୁ ଚର୍ଚ୍ଚିତ ଟି-୨୦ ଲିଗ୍‌ ଆଇପିଏଲର ୧୩ ତମ ସଂସ୍କରଣ ମଧ୍ୟ ଅଟକି ରହିଛି। ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ପୂର୍ବରୁ ଜାରି ରହିଛି ଏବଂ ଅନେକ ରାଜ୍ୟ ଏହି ଲକ୍‌ଡାଉନ୍‌କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରି ସାରିଛନ୍ତି। ତେଣୁ ଏହି ବର୍ଣ୍ଣାଢ୍ୟ ଲିଗ୍‌କୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିପାରେ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI)ର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଯେବେ ଲିଗ୍‌ର ଆୟୋଜନ ଉପରେ ପ୍ରଶ୍ନ କରାଗଲା ସେ କହିଲେ ଯେ, ବର୍ତ୍ତମାନର ଅବସ୍ଥାରେ ଏହା ଉପରେ ଚିନ୍ତା କରାଯାଇ ପାରିବ ନାହିଁ।

ଏକ ଇଂରାଜୀ ଖବର କାଗଜ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍’ ସହ ଆଲୋଚନା ବେଳେ ବିସିସିଆଇ ସଭାପତି କହିଛନ୍ତି ଯେ, ଏବେ ଯେଉଁ ଅବସ୍ଥା ରହିଛି ଏଥିରେ ଲିଗ୍‌ର ଆୟୋଜନ ହେବା ମୁସ୍କିଲ।

ଗାଙ୍ଗୁଲି କହିଛନ୍ତି ଯେ, ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଉଛି। ଏହି ସମୟରେ ଆମେ କିଛି କହି ପାରିବୁ ନାହିଁ ଏବଂ କହିବାକୁ ବା କଣ ବାକି ଅଛି ? ବିମାନବନ୍ଦର ବନ୍ଦ, ଲୋକେ ଘରେ ଫସି ରହିଛନ୍ତି, ଅଫିସ ବନ୍ଦ, କେହି ବି କୌଣସି ଆଡେ ଯାଇ  ପାରୁ ନାହାନ୍ତି। ଲାଗୁଛି ଏମିତି ସ୍ଥିତି ମେ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିପାରେ।

ଏହି ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି ଯେ, ସଂପ୍ରତି ଯେଉଁ ଅବସ୍ଥା ତାହା କୌଣସି ଖେଳ ପକ୍ଷରେ ନୁହଁ। ଆପଣ ଖେଳାଳି କେଉଁଠୁ ଆଣିବେ, ଖେଳାଳି ଯାତ୍ରା କେମିତି କରିବେ। ଏହା ସାଧାରଣ କମନ ସେନ୍ସ ଯେ ସମଗ୍ର ଦୁନିଆରେ କିଛି ଖେଳ ହେଉ ନାହିଁ, ତେଣୁ ଆଇପିଏଲକୁ ଭୁଲି ଯାଆନ୍ତୁ।

ଗାଙ୍ଗୁଲି କହିଛନ୍ତି ଯେ, ଏହି ବିଷୟରେ ସୋମବାର ଚିତ୍ର ଆହୁରି ସ୍ପଷ୍ଟ ହୋଇଯିବ, ଯେବେ ସେ ବିସିସିଆଇର ଅଧିକାରୀଙ୍କ ସହିତ ସଂପ୍ରତି ସ୍ଥିତି ନେଇ ଆଲୋଚନା କରିବେ। ଦାଦା କହିଛନ୍ତି ବ୍ୟବହାରିକ ଭାବେ କହିଲେ ଯେବେ ଜୀବନରେ ଚାରିଆଡେ ନିରବତା ଛାଇ ରହିଛି, ତେବେ ଏମିତି ସ୍ଥିତିରେ ଖେଳର ଭବିଷ୍ୟତ କେଉଁଠି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.