ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ

Published By : Prameya-News7 Bureau | September 20, 2021 IST

ଭୁବନେଶ୍ବର ୨୦।୯: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ପ୍ରାୟ ୪ ଘଣ୍ଟା ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଭାରତୀଙ୍କୁ ପାଖାପାଖି ୧୦୦ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ବର ଫୋରେନସିକ୍ ଲାବୋରେଟୋରୀରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ପୂର୍ବରୁ ଦେଇଥିବା ବୟାନ ଏବଂ ଲାଏ ଡିଟେକ୍ସନ ଟେଷ୍ଟରେ ଆସିଥିବା ରିପୋର୍ଟକୁ ତର୍ଜମା କରିବ କ୍ରାଇମବ୍ରାଞ୍ଚ ।

ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟରଞ୍ଜନଙ୍କ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ରାଜ୍ୟ ଫୋରେନସିକ୍ ଲାବୋରେଟୋରୀରେ ହୋଇଥିଲା ଲାଏ ଡିଟେକ୍ସନ ଟେଷ୍ଟ । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ କ୍ରାଇମବ୍ରାଞ୍ଚର ତନାଘନା । ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କ ସଂପର୍କ କ’ଣ ? କେତେ ଦିନ ଆଗରୁ ବିଦ୍ୟାଭାରତୀଙ୍କ ସହ ପରିଚୟ ହୋଇଥିଲା ? ସୌମ୍ୟରଞ୍ଜନ ପୋଡି ହେବା ଘଟଣା ଦିନ ଡିଏଫଓ କେତେବେଳେ ଖବର ପାଇଲେ ? ଖବର ପାଇବା ପରେ କେତେ ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲେ ? ଘଟଣାସ୍ଥଳରେ କେତେ ସମୟ ରହିଥିଲେ ? ଏମିତି ପ୍ରଶ୍ନ କରି ଉତ୍ତର ଖୋଜିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ ।

ସେହିପରି ସୌମ୍ୟରଞ୍ଜନଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କୁ ୧୨୦ ମିନିଟରେ ୬୦ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ଶେଷଥର ପାଇଁ କେତେବେଳେ ସୌମ୍ୟରଞ୍ଜନଙ୍କ ସହ ମନ୍ମଥଙ୍କର ଦେଖା ହୋଇଥିଲା ? ସେ ସେଦିନ ସୌମ୍ୟରଞ୍ଜନଙ୍କୁ କ’ଣ ଖାଇବାକୁ ଦେଇଥିଲେ ଖାଇବାକୁ ଦେବାକୁ ଯିବାବେଳେ ସୌମ୍ୟରଞ୍ଜନଙ୍କ ସ୍ଥିତି କିଭଳି ଥିଲା ? ଏଭଳି ଗୁଡେଇତୁଡେଇ ପ୍ରଶ୍ନ କରି ସୌମ୍ୟରଞ୍ଜନଙ୍କ ମୃତ୍ୟୁର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ।

ସୌମ୍ୟରଞ୍ଜନ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ବେଳେ ୨ଟି ପର୍ଯ୍ୟାୟରେ ପାରଳାଖେମୁଣ୍ଡି, ଖଇରା ଓ କପ୍ତିପଦାରେ ପଚରାଉଚରା କରାଯାଇଛି ।  ପୂରା ଘଟଣା ପାଇଁ ବିଦ୍ୟାଭାରତୀ, ଡିଏଫଓ ଏବଂ ରୋଷେୟାଙ୍କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର । ପୋଲିସ କ୍ଲିନ୍‌ ଚିଟ୍‌ ଦେଇ ସାରିଛି । ଏହାପରେ କିନ୍ତୁ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ । ଘଟଣାର ୬୫ଦିନ ପରେ ଡିଏଫଓ ଏବଂ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ସୋମବାର ବିଦ୍ୟାଭାରତୀଙ୍କର ହୋଇଛି ଲାଏ ଡିଟେକ୍ସନ୍ ।

ସେପଟେ ପ୍ରତିକ୍ରିୟା ରଖିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ମହାପାତ୍ର । ସେ କହିଛନ୍ତି, ମୋ ପୁଅକୁ ସେ ହିଁ ମାରିଦେଇଛି । ତେଣୁ ତାକୁ ଗିରଫ କରାଯାଉ । ତହିସିଲଦାର, ଓଆଇସି ମମତା ପଣ୍ଡା, ଚିକିତ୍ସା କରିଥିବା ଡାକ୍ତର ଓ ଜିଲ୍ଲାପାଳଙ୍କର ଲାଏ ଡିଟେକ୍ସନ କରାଯାଉ ବୋଲି ସୌମ୍ୟରଞ୍ଜନଙ୍କ ମା’ କହିଛନ୍ତି । ପ୍ରଥମେ ପୋଲିସ ଓ ତାପରେ କ୍ରାଇମବ୍ରାଞ୍ଚ ତଦନ୍ତ, ହେଲେ ଏପର୍ଯ୍ୟନ୍ତ କିଛି ଫଳ ମିଳିନି । ବିଦ୍ୟାଭାରତୀକୁ ଗିରଫ କରାଯିବା ନେଇ ଦାବି କରିଛନ୍ତି  ମୃତ ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.