୮ ବର୍ଷ ବୟସର ପରିବେଶବିତ୍ ଲିସିପ୍ରିୟା କାଙ୍ଗୁମ୍ ସରକାରଙ୍କୁ ପଚାରିଲେ ପ୍ରଶ୍ନ : ପରିବେଶ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଆସୁଥିବା କାହିଁକି ହେଉନି ସଦ୍ବ୍ୟବହାର
30/10/2019 at 5:17 PM

ବାରିପଦା ୩୦|୧୦: ବୟସ ମାତ୍ର ଆଠ ବର୍ଷ । କାମ କିନ୍ତୁ ବୟସ ଠାରୁ ଢେର ଗୁଣା ଅଧିକ। ଏହି କଁଅଳ ବୟସରେ ନିଜ ବାପାଙ୍କ ସହ ଏଦେଶରୁ ସେ ଦେଶକୁ ଘୁରି ବୁଲି ପରିବେଶ ଓ ବନ୍ୟପ୍ରାଣୀଙ୍କୁ ବଞ୍ଚାଇବାକୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଆସନ୍ତୁ ଦେଖିବା କିଏ ସେ, ଆଉ କିଭଳି କାମ କରୁଛନ୍ତି ।

ବୟସ -ମାତ୍ର ୮ ବର୍ଷ । ନାମ- ଲିସିପ୍ରିୟା କାଙ୍ଗୁମ୍ । ଘର -ମଣିପୁର । କାମ ବର୍ତ୍ତମାନର ଅବକ୍ଷୟମୁଖୀ ପରିବେଶକୁ ବଞ୍ଚାଇବାକୁ ପ୍ରୟାସ । ଲିସିପ୍ରିୟାଙ୍କ ବାପା ଡ. କେ.କେ ସିଂ ପରିବେଶ ସୁରକ୍ଷାକୁ ନେଇ ଏକ ଆନ୍ତର୍ଜାତିକ ସାମାଜିକ ସଂସ୍ଥାରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ, ଏହି କଅଁଳ ବୟସରେ ଲିସିପ୍ରିୟା ବାପାଙ୍କ ସାଙ୍ଗରେ ଦେଶ ଦେଶ ବୁଲି ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛନ୍ତି ।

ଲିସିପ୍ରିୟା ଆସି ପହଞ୍ଚିଛନ୍ତି ଓଡିଶାରେ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜୈବମଣ୍ଡଳ ତଥା ବ୍ୟାଘ୍ର ପ୍ରକଳ୍ପକୁ ବଞ୍ଚାଇବାର କ୍ୟାମ୍ପେନରେ ସାମିଲ ହେବା ସହ ଗଛ ଲଗାଇବା,ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା, ପ୍ଲାଷ୍ଟିକ ବର୍ଜନ କରିବାକୁ ଅପିଲ କରିଛନ୍ତି ସେ । ଏହା ସହ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କାର ସଦବ୍ୟବହାର କାହିଁକି ହୋଇପାରୁନାହିଁ ବୋଲି ସରକାରଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି ଲିସିପ୍ରିୟା ।

ଲିସିପ୍ରିୟା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ପହଞ୍ଚିଥିଲେ ଗଜପତିରେ । ପାରଳା ସ୍ବାଭିମାନ ମଞ୍ଚ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ଉପରେ ଭରସା ନକରି , ନିଜର ସୁରକ୍ଷା ପାଇଁ ନିଜେ ହିଁ ଆଗେଇ ଆସିବା ଆବଶ୍ୟକ ବୋଲି କହିଛନ୍ତି । ଲିସିପ୍ରିୟାଙ୍କୁ ଦେଖି ତାଙ୍କ କଥା ଶୁଣି ଅନ୍ୟ ଛାତ୍ର ଛାତ୍ରୀମାନେ ମଧ୍ୟ ଅନୁପ୍ରାଣିତ ହେଉଛନ୍ତି ।

ମାତ୍ର ଆଠ ବର୍ଷ ବୟସରେ ୨୦ରୁ ଅଧିକ ଦେଶ ବୁଲି ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟି ସାରିଥିବା ଲିସିପ୍ରିୟା ପ୍ରମାଣ କରିଛନ୍ତି ଯେ ଗଭୀର ଇଚ୍ଛା ଶକ୍ତି ଆଗରେ ବୟସର କିଛି ମାନେ ନାହିଁ ।