ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହୋଇ ଗଲାଣି ୧୦୦ରୁ ଅଧିକ ଶିଶୁଙ୍କ ଜୀବନ: ଲିଚୁ ସାଜିଚି ବିପଦ, ଓଡିଶା ସରକାରଙ୍କ ଚିନ୍ତା ନାହିଁ
17/06/2019 at 6:49 PM

ଭୁବନେଶ୍ବର୧୭|୬: ବିପଦ ସାଜିଛି ଲିଚୁ । ବିହାରରେ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହୋଇ ଗଲାଣି ୧୦୦ରୁ ଅଧିକ ଶିଶୁଙ୍କ ଜୀବନ । ଆଉ ଏହା ପଛର କାରଣ ପିଲାଙ୍କ ଖୁବ ଫେବରାଇଟ୍ ଲିଚୁ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ସାରା ଦେଶରେ ଏବେ ଆଲୋଡ଼ନ ।

ପ୍ରତିଦିନି ଏକାଧିକ ଶିଶୁଙ୍କ ମୃତ୍ୟୁର ହୃଦୟ ବିଦାରକ ଖବର ଆସୁଛି । ସ୍ଥିତି ନିୟନ୍ତ୍ରଣ ବାହାରେ । ଏହା ପଛର କାରଣ କଣ ତାହା ସ୍ପଷ୍ଟ ହୋଇ ନ ଥିଲେ ବି, ଅନେକ ବିଶେଷଜ୍ଞ ଏଥିଲାଗି ବିଷାକ୍ତ ଲିଚୁକୁ ଦାୟୀ କରୁଛନ୍ତି । ବିହାରର ମୁଜାଫରପୁର ଯେଉଁଭଳି ସ୍ଥିତି ଉପୁଜିଛି ତାହା ସାରା ଦେଶରେ ଚିନ୍ତା ବଢ଼ାଇ ଦେଇଛି।

ବିଶେଷକରି, ବିହାରର ମୁଜାଫରପୁରରେ ଉତ୍ପାଦିତ ଲିଚୁକୁ ନେଇ ଦେଖା ଦେଇଛି ସନ୍ଦେହ । ତେବେ ବଡ଼ ପ୍ରଶ୍ନ ହେଉଛି, ବିହାରରେ ଏଭଳି ଅଘଟଣ ବେଳେ ପଡ଼ୋଶୀ ଓଡ଼ିଶା କରୁଛି କଣ? ଆମ ରାଜ୍ୟରେ କିଭଳି ଏଭଳି ଦୁଃଖଦ ଚିତ୍ର ନ ଦେଖା ଦେବ ସେ ଲାଗି ପ୍ରଶାସନ ସତର୍କ ରହିଛି କି?

ଆମେ ଏଥିଲାଗି ଏ କଥା କହୁଛୁ, କାରଣ ଓଡ଼ିଶାକୁ ଆସୁଥିବା ଲିଚୁର ୭୦ ପ୍ରତିଶତ ଆସିଥାଏ ବିହାରରୁ । ମାନେ ଯେଉଁଠି ଏବେ ଏଭଳି କରୁଣ ଚିତ୍ର, ଯାହା ଉପରେ ଏଥିଲାଗି ସନ୍ଦେହ, ଅନାୟାସରେ ଆମ ବଜାରରେ ତାହାର ଚାଲିଛି ବେଧଡ଼କ ବିକ୍ରି ।

ଓଡ଼ିଶା ବଜାରରେ ବିହାରୀ ଲିଚୁ । ଆଉ ଲାଗୁଛି ଯେମିତି ଏଥିପ୍ରତି ଓଡ଼ିଶା ପ୍ରଶାସନର କିଛି ବି ଚିନ୍ତା ନାହିଁ । ବଜାରରେ ବିକ୍ରି ହେଉଥିବା ଲିଚୁର ଗୁଣବତ୍ତାକୁ ନେଇ ନା ପରୀକ୍ଷା ହେଉଛି ନା ଦୋକାନୀ, ଗ୍ରାହକଙ୍କୁ ସଚେତନ କରାଯାଉଛି ।

ସୁନ୍ଦର ସ୍ୱାସ୍ଥ୍ୟ ଲାଗି ବଜାରରୁ ଉଚ୍ଚା ଦର ଦେଇ ଲିଚୁ କିଣୁଥିବା ଗ୍ରାହକର ପିଲାଛୁଆ ଉପରେ ଏହାର କଣ ପ୍ରଭାବ ରହିବ, ସେ ବିଷୟରେ ହୁଏତ ଅନେକଙ୍କୁ ଜଣା ନାହିଁ । ଅନ୍ୟପକ୍ଷରେ, ଲିଚୁକୁ ସୁନ୍ଦର ଦେଖାଯିବାକୁ, ଅଧିକ ଦିନ ସତେଜ ରଖିବାକୁ, ହାନିକାରକ ରାସାୟନିକ ସାମଗ୍ରୀର ଖୁଲମଖୁଲା ବ୍ୟବହାର ଚାଲିଛି । କିନ୍ତୁ ଲାଗୁଛି ଯେମିତି ଆମ ପ୍ରଶାସନ ନିଘୋଢ଼ ନିଦରେ ଶୋଇଛି ।

ପୂର୍ବରୁ ୨୦୧୪, ୨୦୧୨ରେ ବିହାରରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା । ଅନେକ ଗବେଷଣାରେ ଲିଚୁରେ ଥିବା ଟକ୍ସିକ୍ ଏଲିମେଣ୍ଟକୁ ଏଥିପାଇଁ ସଂପୂର୍ଣ୍ଣ ନ ହେଲେ ବି କେତେକାଂଶରେ ଦାୟୀ ବୋଲି କରାଯାଉଛି । ବିହାର ଲିଚୁରେ ହିଁ ଏଭଲି ବିପଦ ଥିବା ଅନେକ କହିଲେଣି । ଆଉ ଏପଟେ କିନ୍ତୁ ଓଡ଼ିଶା ବଜାରରେ ବିହାର ଲିଚୁର ରାଜୁତି ।
