LG ସ୍ମାର୍ଟଫୋନ୍‌‌ ୟୁଜର୍ସଙ୍କ ପାଇଁ ଦୁଃଖ ଖବର, କ୍ଷତି ସହିବା ପରେ ଉତ୍ପାଦନ ବନ୍ଦ କଲା କମ୍ପାନୀ

Published By : Prameya-News7 Bureau | April 02, 2021 IST

ନୂଆଦିଲ୍ଲୀ  ୨/୪: ବଜାରରୁ ଉଭାନ ହୋଇପାରେ ଏଲଜି ମୋବାଇଲ୍‌। ଗ୍ରାହକଙ୍କୁ ନିରାଶ କରିପାରେ ଦକ୍ଷିଣ କୋରିଆ କମ୍ପାନୀ ଏଲଜି। ଏବେ କମ୍ପାନୀ ସ୍ମାର୍ଟଫୋନ୍‌ ବ୍ୟବସାୟରୁ ଓହରିଯିବାକୁ ଯୋଜନା କରୁଛି। ନିଜର ସ୍ମାର୍ଟଫୋନ୍‌ ଡିଭିଜନ୍‌ର କର୍ମଚାରୀଙ୍କୁ  ଅନ୍ୟ ବିଭାଗକୁ ସ୍ଥାନାନ୍ତର କରୁଥିବା ସୂଚନା ମିଳିଛି। ମୋବାଇଲ ଭେଞ୍ଚରକୁ କିଣିବାକୁ ଇଚ୍ଛୁକ କମ୍ପାନୀକୁ କମ୍ପାନୀ ଖୋଜୁଛି। କିଛି ବର୍ଷ ହେଲା ଘାଟାରେ ଚାଲିଥିବା କମ୍ପାନୀ ନିଜର ମୋବାଇଲ୍‌ ୟୁନିଟ୍‌କୁ ବିକ୍ରି କରି ସ୍ମାର୍ଟଫୋନ୍‌ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ସବୁ ବେଳେ କିଛି ନା କିଛି ନୂଆ ଟେକନିକ୍‌ ସହ ବଜାରରେ ରହିଆସିଥିବା ଏଲଜି ମୋବାଇଲ୍‌କୁ ଲୋକେ ପସନ୍ଦ କରୁଥିଲେ। କିନ୍ତୁ ଚାଇନିଜ୍‌ କମ୍ପାନୀ ଆହୁରି କମ୍‌ ଦାମରେ ମୋବାଇଲ୍‌ ମାର୍କେଟକୁ ଛାଡ଼ିବା ପରେ ଲୋକେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଯାହା ଫଳେରେ ଏଲଜି  ପ୍ରତିଯୋଗିତା କରିବାରେ ବିଫଳ ହୋଇଛି। ଗତ ସପ୍ତାହରେ ବ୍ଲୁମବର୍ଗରେ ପ୍ରକାଶିତ ଖବର ଅନୁସାରେ, ଏଲଜି ଖୁବଶୀଘ୍ର  ମୋବାଇଲ ଫୋନ୍‌ ୟୁନିଟ୍‌କୁ ବ୍ରିକ୍ରି କରିବା ବଦଳରେ ବନ୍ଦ କରିପାରେ।

କମ୍ପାନୀ ପକ୍ଷରୁ ଭିଏତନାମର ଓ୍ବେନଗ୍ରୁପ୍‌ ଏବଂ ଜର୍ମାନୀ ଫୋକ୍ସଓ୍ବାଗନ ଏଜି ସହ ଆଲୋଚନା ହୋଇଥିଲା। କିଛି କାରଣ ପାଇଁ ଏଲଜି ମୋବାଇଲ୍‌ ଫୋନ୍‌ ୟୁନିଟ୍‌ ବିକ୍ରି ସ୍ଥଗିତ ହୋଇଥିଲା। ଏହା ସହ କମ୍ପାନୀର ଯୋଜନା ଅନୁସାରେ ଯେଉଁସବୁ ସ୍ମାର୍ଟଫୋନ୍ ବଜାରକୁ ଆସିବା କଥା ସେସବୁ ମଧ୍ୟ ବନ୍ଦ ହୋଇ ରହିଛି।

ଗୋଟିଏ ପଟେ ବ୍ଲାକବେରୀ  ବଜାରରୁ ଦୂରେଇ ରହିଥିବା ବେଳେ ନୋକିଆ ଫେରିଛି ସତ କିନ୍ତୁ ଗ୍ରାହକଙ୍କୁ ପୂର୍ବ ଭଳି ଆକୃଷ୍ଟ କରିପାରି ନାହିଁ। ଅନ୍ୟପଟେ ଏବେ ଏଲଜି ସ୍ମାର୍ଟଫୋନ୍‌ ଇତିହାସ ହେବାକୁ ବସିଛି। ଚୀନ କମ୍ପାନୀଙ୍କ ତୁଳନରେ ଏଲଜି ସବୁ ବେଳେ କିଛି ନା କିଛି ନୂଆ ମଡେଲ ମାର୍କେଟରେ ଲଞ୍ଚ କରି ଗୋଟିଏ ସମୟରେ ଖୁବ ଲୋକପ୍ରିୟତା ପାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ  ଏବେ ମାର୍କେଟରେ ଏଲଜି ସ୍ମାର୍ଟଫୋନ୍‌ ଗ୍ରାହକଙ୍କୁ ମିଳିନପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.