ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ: ରହିବନି ପ୍ରଶ୍ନକାଳ, ବିରୋଧୀଙ୍କ ପ୍ରଶ୍ନ- ତେବେ ଅଧିବେଶନ ଲାଭ କଣ ?

Published By : Prameya-News7 Bureau | September 09, 2020 IST

ଭୁବନେଶ୍ଵର ୦୯।୦୯:  ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ।  କିନ୍ତୁ ଏହି ଅଧିବେଶନରେ ରହିବନି ପ୍ରଶ୍ନକାଳ । ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ ବୋଲି ଶାସକ ନେତା କହୁଥିବା ବେଳେ ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ । ପ୍ରଶ୍ନକାଳ ନହେଲେ ବିଧାନସଭା ଅଧିବେଶନର ମୂଲ୍ୟ କଣ ଅଛି ବୋଲି ପ୍ରଶ୍ନ କରିଛନ୍ତି ଉଭୟ ବିଜେପି ଆଉ କଂଗ୍ରେସ୍ । ତେବେ ବାଚଷ୍ପତି ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

ବିଧାନସଭା ମୌସୁମୀ ଅଧିବେସନରେ ପ୍ରଶ୍ନକାଳ ବାତିଲ୍ ନେଇ ବବାଲ୍ । ପ୍ରଶ୍ନକାଳ ନହେଲେ ବିଧାନସଭା ଅଧିବେଶନର ମୂଲ୍ୟ କ’ଣ ?  ଶାସକ ଦଳକୁ ଏଭଳି କିଛି ପ୍ରଶ୍ନ କରିଛନ୍ତି ବିରୋଧୀ ବିଜେପି ଆଉ କଂଗ୍ରେସ୍ । ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କରୋନା ମହାମାରୀ ପାଇଁ ପ୍ରଶ୍ନକାଳ ହେବ କି ନାହିଁ ତାକୁ ନେଇ ଦେଖା ଦେଇଛି ଦ୍ବନ୍ଦ୍ବ । କେବଳ ଅଣତାରକା ପ୍ରଶ୍ନର ଉତ୍ତର ଦିଆଯିବ । ଏହାପରେ ଶୂନ୍ୟକାଳ ବି ହୋଇପାରେ ।  ବିଧାନସଭା ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦିଆଯାଇଛି । ଏକଥା ଜାଣିବା ପରେ କଂଗ୍ରେସ କହିଛି ପ୍ରଶ୍ନକାଳ ବାତିଲ ହେଲେ ବିକ୍ଷୋଭ କରିବ ଦଳ । ସେପଟେ ବିଜେପିର ଯୁକ୍ତି ପ୍ରଶ୍ନକାଳ ଉଚ୍ଛେଦ କରିବା ଅଗଣତାନ୍ତ୍ରିକ ।

ଗୋଟିଏ ପଟେ କରୋନା ମହାମାରୀ ପାଇଁ ବିଧାନସଭା ଅଧିବେଶନ କେମିତି ବସିବ ତାହା ସରକାରଙ୍କ ପାଇଁ ବଡ଼ ଚାଲେଂଜ୍ ହୋଇଥିବା ବେଳେ ପ୍ରଶ୍ନକାଳ ବାତିଲକୁ ନେଇ ବିରୋଧୀଙ୍କ ଆପତ୍ତି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ସେପଟେ ବିଜେଡି ନେତାଙ୍କ ଯୁକ୍ତି ସଂସଦୀୟ ଢ଼ାଞ୍ଚାରେ ବିଧାନସଭା ବସିବ । ତେଣୁ ପ୍ରଶ୍ନକାଳ ଓ ଶୂନ୍ୟକାଳ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି । କାର୍ଯ୍ୟପରାମର୍ଶ ଦାତା ବୈଠକରେ ଆଲୋଚନା ପରେ ଚୁଡ଼ାନ୍ତ  ନିଷ୍ପତ୍ତି ବାଚସ୍ପତି ନେବେ ।

ରାଜଧାନୀରେ କରୋନା ପିକ୍ରେ ଥିବା ବେଳେ ଏକାଧିକ ବିଧାୟକ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏମିତିରେ ସବୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ ଠାରୁ ଆରମ୍ଭ କରି ସାମାଜିକ ଦୂରତା ନିୟମ ପାଳନ ସହ ବିଧାନସଭାରେ ବସିବାର ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କିଛିର ବ୍ୟବସ୍ଥା ହେଉଛି । ଏସବୁ ଭିତରେ ପ୍ରଶ୍ନକାଳକୁ ନେଇ ଯେଉଁ ଦ୍ବନ୍ଦ୍ବ ଉଠିଛି ତାହା କିଳଭି ଦୂର ହୋଇପାରିବ ତା ଉପରେ ରହିବ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.