କିମ୍ବଦନ୍ତୀ ‘ଟକ୍ ସୋ’ ହୋଷ୍ଟ୍ ଲ୍ୟାରି କିଙ୍ଗ୍ଙ୍କ ୮୭ ବର୍ଷ ବୟସରେ ପରଲୋକ
23/01/2021 at 10:07 PM

ଲସ ଏଞ୍ଜେଲସ ୨୩/୦୧ : ଲୋକପ୍ରିୟ ଟକ୍ ସୋ ହୋଷ୍ଟ୍ ଲ୍ୟାରି କିଙ୍ଗ୍ଙ୍କ ପରଲୋ ଘଟଇଛି । ଲସ୍ ଆଞ୍ଜେଲସ୍ର କେଡାରର୍ସ ସିନାଇ ମେଡିକାଲ ସେଣ୍ଟରରେ ୮୭ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଲ୍ୟାରି କିଙ୍ଗ୍ । ଗତ ପ୍ରାୟ ୫୦ ବର୍ଷ ଧରି ସେ ବ୍ରଡକାଷ୍ଟ୍ ଏବଂ ରେଡିଓ ଟକ୍ ସୋ ଗୁଡିକରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ORA ମିଡିଆ, ଦ ଷ୍ଟୁଡିଓ ଆଣ୍ଡ୍ ନେଟଓ୍ବର୍କର ପ୍ରତିଷ୍ଠାତା ଥିଲେ ଲ୍ୟାରି କିଙ୍ଗ୍ ।
ତାଙ୍କର ଦେହାନ୍ତର ସଠିକ୍ କାରଣ ଜଣାପଡିନଥିବା ବେଳେ ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ୧୯୮୫ ମସିହାରୁ ୨୦୧୦ଯାଏଁ ନିରବଚ୍ଛିନ୍ନ ଭାବେ CNNରେ କାର୍ଯ୍ୟ କରିଆସୁଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଅନେକ ସମ୍ମାନରେ ସମ୍ମାନୀତ ମଧ୍ୟ ହୋଇଛନ୍ତି । ଅନେକ ଲୋକପ୍ରିୟ ଅଭିନେତାଙ୍କ ଇଣ୍ଟରଭ୍ୟୁ ନେବା ସହିତ ବିଭିନ୍ନ ରାଜନୈତିକ ଡିବେଟ୍ ମଧ୍ୟ କରିଛନ୍ତି । ତାଙ୍କର ଉପସ୍ଥାପନା ଶୈଳୀ ଦର୍ଶକମାନଙ୍କୁ ବେଶ ପସନ୍ଦ ଆସୁଥିଲା ।
ଲ୍ୟାରି କିଙ୍ଗ୍ ପ୍ରାୟ ୫୦ ହଜାର ଅନ୍ ଏୟାର ଇଣ୍ଟରଭ୍ୟୁ କରିଛନ୍ତି । ୧୯୯୫ ମସିହାରେ ସେ ପିଏଲଏ ଚେୟାରମ୍ୟାନ୍ ୟାସିର ଆରାଫାଟ, ଜୋର୍ଡାନର ରାଜା ହୁସେନ୍ ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ୟିତଜକ୍ ରବିନଙ୍କ ସହ ମଧ୍ୟ ପୂର୍ବ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସେ ଦଲାଇ ଲାମାଙ୍କ ଠାରୁ ଆରମ୍ଭ କରି ଏଲିଜାବେଥ ଟେଲର, ମିଖାଇଲ ଗୋରବଚେଭ୍ ଠାରୁ ବାରାକ ଓବାମା ଏବଂ ବିଲ ଗେଟ୍ସଙ୍କ ଠାରୁ ଆରମ୍ଭ କରି ଲେଡି ଗାଗାଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର ନେଇଛନ୍ତି ।