ମହାନ ଶାସ୍ତ୍ରୀୟ ଗାୟକ ପଦ୍ମ ବିଭୂଷଣ ଗୁଲାମ ମୁସ୍ତଫା ଖାନଙ୍କ ଦେହାନ୍ତ, ସଙ୍ଗୀତ ଜଗତରେ ଶୋକର ଛାୟା
17/01/2021 at 6:00 PM

ନୂଆଦିଲ୍ଲୀ ୧୭/୦୧ : ବର୍ଷ ୨୦୨୧ ଆରମ୍ଭରୁ ସଙ୍ଗୀତ ଜଗତ ପାଇଁ ଦୁଃଖଦ ଖବର । ମହାନ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଦ୍ମ ବିଭୂଷଣ ଉସ୍ତାଦ ଗୁଲାମ୍ ମୁସ୍ତାଫା ଖାନଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି । ଗୁଲାମ୍ ମୁସ୍ତାଫା ଖାନଙ୍କ ବୋହୂ ନମ୍ରତା ଗୁପ୍ତା ଖାନ ଏହି ସୂଚନା ଦେଇଛନ୍ତି । ଶନିବାର ବିଳମ୍ବିତ ରାତି ୧୨.୩୭ରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।
ଗୁଲାମ୍ ମୁସ୍ତାଫା ଖାନଙ୍କ ବୋହୂ ନମ୍ରତା ଗୁପ୍ତା ଖାନ କହିଛନ୍ତି ଶନିବାର ଦିନ ସକାଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । କିନ୍ତୁ ନମାଜ ପଢୁଥିବା ବେଳେ ସେ ହଠାତ ବାନ୍ତି କରିଥିଲେ । ପରିବାର ସଦସ୍ୟ ଡାକ୍ତରଙ୍କୁ ଫୋନ କରିଥିଲେ ଏବଂ ତୁରନ୍ତ ଡାକ୍ତର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେତେବେଳକୁ ତାଙ୍କର ଦେହାନ୍ତ ହୋଇସାରିଥିଲା ।
ଗୁଲାମ୍ ମୁସ୍ତାଫା ଖାନଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଟ୍ବିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୂର ସାମ୍ରାଜ୍ଞୀ ଲତା ମଙ୍ଗେସକର ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି, ‘ମୋତେ ଏବେ ଏହି ଦୁଃଖଦ ଖବର ମିଳିଲା କି ମହାନ ଶାସ୍ତ୍ରୀୟ ଗାୟକ ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହେବ ଏହି ଦୁନିଆରେ ନାହାନ୍ତି । ଏହା ଶୁଣିବା ପରେ ମୋତେ ବହୁତ ଦୁଃଖ ଲାଗିଲା । ସେ ଜଣେ ଭଲ ଗାୟକ ଏବଂ ଜଣେ ଭଲ ମଣିଷ ଥିଲେ । ଅମର ଆତ୍ମାର ସଦଗତି କାମନା କରୁଛି ’ ।
ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହେବଙ୍କ ଜନ୍ମ ୩ ମାର୍ଚ୍ଚ ୧୯୩୧ରେ ଉତ୍ତର ପ୍ରଦେଶର ବନ୍ଦାୟୁରେ ହୋଇଥିଲା । ପିତା ଓ୍ବାରିସ୍ ହୁସେନ୍ ଖାନଙ୍କ ଠାରୁ ସଙ୍ଗୀତ ତାଲିମ ନେଇ ଜଣେ ସଫଳ ଶାସ୍ତ୍ରୀୟ ଗାୟକ ହୋଇପାରିଥିଲେ । ୧୯୯୧ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୨୦୦୬ରେ ପଦ୍ମ ଭୂଷଣ ଏବଂ ୨୦୦୮ ମସିହାରେ ପଦ୍ମ ବିଭୂଷଣରେ ସମ୍ମାନୀତ କରାଯାଇଥିଲା । ତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।