ଚଳିତ ଆଇପିଏଲର ଶ୍ରେଷ୍ଠ ୬ ଜଣ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରସ୍ତୁତ କଲେ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା, ଜାଣନ୍ତୁ କିଏ ଏହି ସବୁ ଖେଳାଳି

Published By : Prameya-News7 Bureau | November 09, 2020 IST

ନୂଆଦିଲ୍ଲୀ ୦୯/୧୧ : ଆସନ୍ତା ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ ସିଜିନ-୧୩ର ଫାଇନାଲ ଅନୁଷ୍ଠିତ ହେବ । ମୁମ୍ବାଇ ଇଣ୍ଡିଆନ୍ସ ଆଗରୁ ୬ ଥର ଫାଇନାଲରେ ପ୍ରବେଶ କରିବା ସହ ୪ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ଅନ୍ୟପଟେ ଦିଲ୍ଲୀ ବିଗତ ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଫାଇନାଲ ଖେଳିବାକୁ ସୁଯୋଗ ପାଇଛି ।

ଗତ କିଛି ବର୍ଷ ଧରି ଲଗାତାର ଭାବେ ଭାରତୀୟ କ୍ରିକେଟ ଟିମକୁ ପ୍ରତିଭାବାନ ଖେଳାଳି ଦେଇଛି ଆଇପିଏଲ । ୨୦୨୦ ଆଇପିଏଲରେ ମଧ୍ୟ ଏହି ଧାରା ଜାରି ରହିଛି । ଚଳିତ ଆଇପିଏଲରେ ବହୁ ଯୁବ ଖେଳାଳି ପ୍ରତିଭା ବଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ୬ ଜଣ ଯୁବ ଭାରତୀୟ ଖେଳାଳି ଚଳିତ ଥର ଆଇପିଏଲର ଶ୍ରେଷ୍ଠ ଉପଲବ୍ଧି ବୋଲି ଲାରା କହିଛନ୍ତି।

ସଞ୍ଜୁ ସାମସନ : ଲାରାଙ୍କ ଲିଷ୍ଟରେ ପ୍ରଥମେ ଅଛନ୍ତି ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ । ସେ କହିଛନ୍ତି ସଞ୍ଜୁ ଯେଉଁଭଳି ଭାବେ ବ୍ୟାଟିଂ କରନ୍ତି ତାହା ତାଙ୍କୁ ବେଶ ପସନ୍ଦ । ସଞ୍ଜୁଙ୍କ ନିକଟରେ ଅସାଧାରାଣ ପ୍ରତିଭା ରହିଛି । ସେ ଜଣେ ଅସାଧାରଣ ଖେଳାଳି ତା ସହିତ ଅନନ୍ୟ ପ୍ରତିଭାର ଅଧିକାରୀ । 

ସୂର୍ଯ୍ୟକୁମାର ଯାଦବ : ମୁମ୍ବାଇ ଇଣ୍ଡିଆନ୍ସର ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୧୫ଟି ମ୍ୟାଚ ଖେଳି ୪୧.୯୦ ହାରରେ ୪୬୧ ରନ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ରହିଛି ୧୪୮.୨୩ । ଲାରା କହିଛନ୍ତି ପସନ୍ଦର କ୍ରିକେଟରଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଅନ୍ୟତମ । ସେ କହିଛନ୍ତି ଯଦି ସୂର୍ଯ୍ୟ କୁମାର ଓପନିଂ କରିପାରୁ ନାହାନ୍ତି ତେବେ ତାଙ୍କୁ ୩ ନମ୍ବରରେ ବ୍ୟାଟିଂ ପଠାଯିବା ଦରକାର । ଯଦି ମୁମ୍ବାଇ ସହଳ ଓ୍ବିକେଟ ହରାଏ ତେବେ ସୂର୍ଯ୍ୟ କୁମାର କ୍ଷତିଭରଣ କରିପାରିବେ । ଆଇପିଏଲରେ ତାଙ୍କୁ ଖେଳିଥିବାର ଦେଖି ଭଲ ଲାଗେ ବୋଲି ଲାରା କହିଛନ୍ତି ।

ଦେବଦତ୍ତ ପାଡିକଲ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ପକ୍ଷରୁ ସବୁଠାରୁ ଅଧିକ ରନ ସ୍କୋର କରିଥିବା ଖେଳାଳି ହେଉଛନ୍ତି ଦେବଦତ୍ତ ପାଡିକଲ । ଲାରା କହିଛନ୍ତି ତାଙ୍କ ଭିତରେ ଅନନ୍ୟ କ୍ଷମତା ରହିଛି । ସେ ଦେବଦତ୍ତଙ୍କ ପ୍ରଦର୍ଶନକୁ ନେଇ କିଛିଟା ଚେଞ୍ଜସ୍ ଦେଖିବାକୁ ଚାହାଁନ୍ତି । ପାଡିକଲଙ୍କୁ ତାଙ୍କ ଟେକନିକ ଅନୁସାରେ ଖେଳିବାକୁ ହେବ ଏବଂ ଏହା କରିପାରିଲେ ସେ ଟେଷ୍ଟ୍ କ୍ରିକେଟରେ ମଧ୍ୟ ସ୍ଥାନ ପାଇବା ଆଶା ଅଧିକ ।

କେ ଏଲ ରାହୁଲ : କିଙ୍ଗସ ଏକାଦଶ ପଞ୍ଜାବର ଅଧିନାୟକ ଏବଂ ଆଇପିଏଲରେ ଏଯାଏଁ ଅରେଞ୍ଜ କ୍ୟାପ ଦାବିଦାର ଲୋକେଶ ରାହୁଲଙ୍କ ବିଷୟରେ ଲାରା କହିଛନ୍ତି ରାହୁଲ ଜଣେ ଅନ୍ତରାଷ୍ଟ୍ରୀୟ ସ୍ତରର ଖେଳାଳି ଏବଂ ନିଜର ଦକ୍ଷତା ଦେଖାଇବାକୁ ସେ କେବେ ହାତଛଡା କରନ୍ତି ନାହିଁ ।

ପ୍ରିୟମ ଗର୍ଗ : ଭାରତୀୟ ଅଣ୍ଡର ୧୯ ଟିମର ପୂର୍ବତନ ଅଧିନାୟକ ତଥା ସନରାଇଜର୍ସ ହାଇଦରାବାଦର ବ୍ୟାଟ୍ସମ୍ୟାନ ପ୍ରିୟମ ଗର୍ଗ ମଧ୍ୟ ବ୍ରାଏନ ଲାରାଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଲାରା କହିଛନ୍ତି ପ୍ରିୟମ ଗର୍ଗଙ୍କ ଭିତରେ ବହୁତ କ୍ଷମତା ରହିଛି ଏବଂ ଭବିଷ୍ୟତରେ ସେ ବହୁତ ଆଗକୁ ଯିବେ ।

ଅବଦୁଲ ସମଦ : ଜମ୍ମୁ କାଶ୍ମୀର ଅଲରାଉଣ୍ଡର ଅବଦୁଲ ସମଦ ସନରାଇଜର୍ସ ହାଇଦରାବାଦ ପକ୍ଷରୁ ଏହି ବର୍ଷ ଆଇପିଏଲରେ ଡେବ୍ୟୁ କରିଛନ୍ତି । ଲାରା ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଆଇପିଏଲର ପ୍ରତିଭାବାନ ଖେଳାଳୀ ଦର୍ଶାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.