ଏଥର ରାଜ୍ୟରେ କଂଗ୍ରେସ-ବାମପନ୍ଥୀ ମେଣ୍ଟ : ସିପିଆଇ ଓ ସିପିଏମ୍‌ର କିଏ କେଉଁଠୁ ପ୍ରାର୍ଥୀ ଜାଣନ୍ତୁ

Published By : Prameya-News7 Bureau | March 29, 2019 IST

ଭୁବନେଶ୍ବର ୨୯|୩: ଓଡ଼ିଶା ରାଜନୀତିରେ ଆଉ ଆଗ ଭଳି ବାମପନ୍ଥୀ ଦଳଗୁଡ଼ିକର ପ୍ରଭାବ ନାହିଁ କହିଲେ ଚଳେ । ୨୦୧୪ରେ କେବଳ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବିଧାନସଭା ଆସନରେ ଏକମାତ୍ର ପ୍ରାର୍ଥୀ ଭାବେ ବିଜୟଲାଭ କରିଥିଲେ ବାମପନ୍ଥୀ ନେତା ଲକ୍ଷ୍ମଣ ମୁଣ୍ଡା ।  ହେଲେ ଏଥର କଂଗ୍ରେସ ସହ ନିର୍ବାଚନୀ ବୁଝାମଣା କରିଥିବା ଦୁଇ ପ୍ରମୁଖ ବାମ ଦଳ ସିପିଆଇ ଏବଂ ସିପିଏମ୍ ରାଜ୍ୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

{"id":98225}

ଅତୀତର ପ୍ରଭାବ ଆଉ ନାହିଁ । ଭୋଟ୍ ହାର ବି ବହୁତ ଖସିଛି । ସାରା ଭାରତବର୍ଷରେ ଭୁଶୁଡ଼ିଛି ବାମ ଦୁର୍ଗ । ଏମିତିରେ ଆମେ ଯଦି  ଓଡ଼ିଶା କଥାକୁ ବିଚାରକୁ ନେବା ତାହେଲେ ଏଠି ମଧ୍ୟ ବାମଦଳର ସେଭଳି କିଛି ପ୍ରଭାବ ନାହିଁ କହିଲେ ଚଳେ । ତା’ପରେ ପୁଣି  ଆଜିକାଲିର ବ୍ୟୟ ବହୁଳ ରାଜନୀତିରେ ପ୍ରମୁଖ ଜାତୀୟ କିମ୍ବା ଆଞ୍ଚଳିକ ଦଳମାନଙ୍କ ସହ ଟକ୍କର ଦେବା ବାମପନ୍ଥୀଙ୍କ ପକ୍ଷେ କାଠିକର ପାଠ ।

{"id":98226}

ତଥାପି ଏଥର ଓଡ଼ିଶାରେ କଂଗ୍ରେସ ସହ ନିର୍ବାଚନୀ ବୁଝାମଣା କରି ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚେଷ୍ଟାରେ ଅଛନ୍ତି ଉଭୟ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ  । ଆସନ ବୁଝାମଣା ଅନୁଯାୟୀ, ଜୀବନରେ ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି ବରିଷ୍ଠ ସିପିଏମ୍ ନେତା ଜନାର୍ଦ୍ଦନ ପତି ।  ଭୁବନେଶ୍ବର ଲୋକସଭା ଆସନରେ ଜନାର୍ଦ୍ଦନଙ୍କୁ ଲିଫ୍ଟ ଦେଇଛି କଂଗ୍ରେସ । ଏହା ବ୍ୟତୀତ ୪ଟି ବିଧାନସଭା ଆସନରେ ସିପିଏମ୍  ପ୍ରାର୍ଥୀ ଦେଇଛି । ରଣପୁରରେ ନିତ୍ୟାନନ୍ଦ ପରିଡ଼ା, ପାଲଲହଡ଼ାରେ ମୀନା ପ୍ରଧାନ, ନୀଳଗିରିରେ ଯୋଗାନନ୍ଦ ଦାଶ ଏବଂ ମୋରଡ଼ାରେ ଗୀରେନ୍ଦ୍ର ଗୋସ୍ବାମୀ ସିପିଏମ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ।

{"id":98227}

ସେହିଭଳି,ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା ସିପିଆଇ ଆସ୍କା ଲୋକସଭା ଆସନ ସହ ତିନୋଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି । ଆସ୍କା ସାଂସଦ ପ୍ରାର୍ଥୀ  ଭାବେ ଏଥର ନିର୍ବାଚନ ଲଢ଼ୁଛନ୍ତି ସିପିଆଇ ନେତା ରାମକୃଷ୍ଣ ପଣ୍ଡା । ସେହିଭଳି ଦଳର ଗଡ଼ ଭାବେ ପରିଚିତ ଛତ୍ରପୁର ବିଧାନସଭା ଆସନରେ ପ୍ରଦୀପ ସେଠୀ, ବୌଦ୍ଧରେ ଅବକାଶ ସାହୁ ଏବଂ ବ୍ରଜରାଜନଗରରେ ରମେଶ କୁମାର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି ସିପିଆଇ ।

{"id":98228}

ଏଥର ଓଡ଼ିଶା ନିର୍ବାଚନୀ ମହାସମରରେ ମୁଖ୍ୟତଃ ବିଜେଡି ଏବଂ ବିଜେପି ମଧ୍ୟରେ ଟକ୍କର ଆଶା କରାଯାଉଛି । ଏଭଳି ସ୍ଥିତିରେ ଅପେକ୍ଷାକୃତ ଦୁର୍ବଳ ଥିବା ଦେଶର ସର୍ବପୁରାତନ ରାଜନୈତିକ ଶକ୍ତି କଂଗ୍ରେସ ସହ ଆସନ ବୁଝାମଣା କରି ବାମପନ୍ଥୀ ଦଳଗୁଡ଼ିକ କେତେ ଆସନ ଜିତି ପାରିବେ ତାହା ଭୋଟ ଫଳାଫଳ ହିଁ ସ୍ପଷ୍ଟ କରିବ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.