କୁଲଦୀପ ଓ ୟୁଜବେନ୍ଦ୍ର ଚହଲଙ୍କୁ ନେଇ ବଡ ଟିପ୍ପଣୀ କଲେ ଲକ୍ଷ୍ମଣ, କହିଲେ ଏମିତି କଥା

Published By : Prameya-News7 Bureau | July 04, 2021 IST

ନୂଆଦିଲ୍ଲୀ ୦୪।୦୭: ଶିଖର ଧାଓ୍ଵନଙ୍କ ନେତୃତ୍ଵରେ ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ଦଳ ସେଠାରେ ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍‌ର ସିରିଜ ଖେଳିବ। ଏହି ସିରିଜ୍ ଜୁଲାଇ ୧୩ରୁ ଆରମ୍ଭ ହେବ। ସିନିୟର ଖେଳାଳିଙ୍କ ଇଂଲଣ୍ଡରେ ଥିବା କାରଣରୁ ଅନେକ ଜୁନିୟର ଖେଳାଳିଙ୍କୁ ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନିଜକୁ ପ୍ରମାଣିତ କରିବାର ସୁଯୋଗ ଦେଇଛି।

ଏହି କ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣ କହିଛନ୍ତି, ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ଦିନିକିଆରେ ସୁଯୋଗ ଦେବା ଉଚିତ୍। ସେମାନ ଯେତିକି ଅଧିକ ଓଭର ବୋଲିଂ କରିବେ ସେତିକି ଭଲ। ସେମାନଙ୍କ ମନରେ ସେତିକି ଆତ୍ମ  ବିଶ୍ଵାସ ଜାଗ୍ରତ ହେବ। ବିଶେଷ କରି କୁଲଦୀପ ଯାଦବ, ଯିଏ ନିକଟ ଦିନରେ କିଛି ସମୟ ଧରି ଖରାପ ଫର୍ମ ଦେଇ ଗତି କରୁଛନ୍ତି।

ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଦିନିକିଆରେ ୫୪ଟି ମ୍ୟାଚ୍ ଖେଳି ୯୨ ଓ୍ଵିକେଟ୍ ହାସଲ କରିଛନ୍ତି। ଶେଷ ୧୦ ଓଭରରେ ସେ ୧୪ଟି ଓ୍ଵିକେଟ୍ ନେଇଛନ୍ତି। କିନ୍ତୁ ଇକୋନୋମି ହାର ବହୁତ ଖରାପ ରହିଛି। ଟି-୨୦ରେ ତାଙ୍କ ପ୍ରଦର୍ଶନ ନିମ୍ନଗାମୀ ରହିଛି। ୨୦୨୧ରେ ତାଙ୍କୁ ଗୋଟିଏ ହେଲେ ଦିନିକିଆ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିନାହିଁ।

ଅନ୍ୟପଟେ ବାମହାତୀ ଚାଇନା ମ୍ୟାନ୍ ବୋଲର କୁଲଦୀପ ଯାଦବ ୬୩ଟି ଦିନିକିଆରୁ ୧୦୫ ଓ୍ଵିକେଟ୍  ହାସଲ କରିଛନ୍ତି। ଏଥିସହ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜିରେ ତାଙ୍କୁ ଦୁଇଟି ମ୍ୟାଚ୍‌ରେ ସୁଯୋଗ ଦିଆଯାଇଥିଲା। ମାତ୍ର ସେ ଉଭୟ ମ୍ୟାଚ୍‌ରେ ଗୋଟିଏ ହେଲେ ଓ୍ଵିକେଟ୍ ନେଇ ପାରିନଥିଲେ। ଅନ୍ତିମ ୧୦ ଓଭରରେ ସେ କେବଳ ୯ଟି ଓ୍ଵିକେଟ୍ ନେଇଛନ୍ତି। ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ ଆଇପିଏଲର ଚଳିତ ସଂସ୍କରଣରେ ଗୋଟିଏ ହେଲେ ମ୍ୟାଚ୍‌ରେ କେକେଆର ପକ୍ଷରୁ ଖେଳିବାର ସୁଯୋଗ ମିଳିନଥିଲା।

ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ ଖେଳାଯିବ। ଏମିତିରେ ଶ୍ରୀଲଙ୍କା ସିରିଜ୍‌ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ। ଏମିତିରେ ଦୁଇ ଖେଳାଳି ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ବିଶ୍ଵକପ୍ ଅକ୍ଟୋବର-ନଭେମ୍ବରରେ ୟୁଏଇରେ ହେବାକକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.