ଗୟା ୦୮/୦୪ : ବିହାରରେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ କାମ କରୁଛନ୍ତି। ଆଗାମୀ ଦିନରେ ଅନେକ ଯୋଜନା ଉପରେ କାମ କରିବାକୁ ପ୍ରସ୍ତୁତି ଚାଲିଛି। ଏହିସବୁ ଯୋଜନା ମଧ୍ୟରୁ ଗୋଟିଏ ହେଲା ଗୟା ଜିଲ୍ଲା ବିଷ୍ଣୁପଦ ମନ୍ଦିର ସ୍ଥିତ ଦେବଘାଟରୁ ସୀତାକୁଣ୍ଡ ମଧ୍ୟରେ ଲକ୍ଷ୍ମଣ ଝୁଲା ନିର୍ମାଣ କରିବା। ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରଶାସନିକ ସ୍ୱୀକୃତି ମିଳିବା ପରେ ଶୀଘ୍ର ଏହି ଯୋଜନାରେ କାମ ଆରମ୍ଭ ହେବ।
ଏହି ଯୋଜନା ପୁରା ହେବାପରେ ତୀର୍ଥଯାତ୍ରୀଙ୍କୁ ବହୁତ ସୁବିଧା ମିଳିବ। ଏହାସହ ପର୍ଯ୍ୟଟନ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହ ମିଳିବ। ଏ ସମ୍ବନ୍ଧରେ ବିହାର ପୋଲ ନିର୍ମାଣ ନିଗମର ଏସଡିଓ ପ୍ରତୀକ କୁମାର କହିଛନ୍ତି ଯେ ଲକ୍ଷ୍ମଣ ଝୁଲା ଦେବଘାଟରୁ ସୀତାକୁଣ୍ଡ ଯାଏଁ ଫଲ୍ଗୁ ନଦୀ ଉପରେ ନିର୍ମାଣ ହେବ। ଏହି ଝୁଲା ନିର୍ମାଣ ପରେ ୩ କିଲୋମିଟର ଦୂରତା ଗୋଟିଏ କିଲୋମିଟର ହୋଇଯିବ ଓ ତୀର୍ଥଯାତ୍ରୀ ସହଜରେ ଦେବଘାଟରୁ ସୀତାକୁଣ୍ଡ ଯାଇପାରିବେ।
ସୂଚନାଯୋଗ୍ୟ ଯେ, ସନାତନ ଧର୍ମରେ ଗୟା ନଦୀ ମହତ୍ତ୍ୱପୂର୍ଣ୍ଣ ତୀର୍ଥସ୍ଥଳୀ ମଧ୍ୟରୁ ଗୋଟିଏ। ପ୍ରତ୍ୟେକ ଦିନ ଦେଶ-ବିଦେଶରୁ ଅନେକ ପିଣ୍ଡାଦାନୀ ନିଜ ପୂର୍ବଜଙ୍କ ମୋକ୍ଷ କାମନା କରି ଗୟାରେ ପହଞ୍ଚିଥାନ୍ତି ଏବଂ ଏଠାରେ ପିଣ୍ଡଦାନ ଓ କର୍ମକାଣ୍ଡ କରିଥାନ୍ତି।
ବିହାର ରାଜ୍ୟ ପୋଲ ନିର୍ମାଣ ନିଗମ ଦ୍ୱାରା ନିର୍ମାଣ ହେବାକୁଥିବା ଏହି ପୋଲ ପାଇଁ ପାଖାପାଖି ୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ପ୍ରତୀକ କୁମାର। ସବୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି କେବଳ ପ୍ରଶାସନିକ ସ୍ୱୀକୃତିକୁ ଅପେକ୍ଷା ରହିଛି।