ତେଜିଲା ଓକିଲ ସଂଘର ବିବାଦ ; କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବିଜେଡି ଲିଗାଲ ଫ୍ରଣ୍ଟ ଓକିଲଙ୍କୁ ଆନ୍ଦୋଳନରତ ଓକିଲଙ୍କ ବିରୋଧ

Published By : Prameya-News7 Bureau | October 29, 2018 IST

କଟକ ୨୯|୧୦: ତେଜିଲା ଓକିଲ ସଂଘର ବିବାଦ । ଆଜି ହାଇକୋର୍ଟରେ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବିଜେଡି ଲିଗାଲ ଫ୍ରଣ୍ଟ ଓକିଲଙ୍କୁ ଆନ୍ଦୋଳନରତ ଓକିଲମାନେ ବିରୋଧ କରିଛନ୍ତି । ଫଳରେ ସେଠାରେ ଦୁଇ ପକ୍ଷ ଓକିଲଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛି । ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ ଥିବା ପ୍ରାୟ ୩୦ହଜାର ଓକିଲ ଆଜି କାର୍ଯ୍ୟରେ ଯୋଗ ଦେଉଛନ୍ତି । ଆନ୍ଦୋଳନରୁ ଓହରିବା ନେଇ ବିଜେଡି ଲିଗାଲ ଫ୍ରଣ୍ଟ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାକୁ ନେଇ ହାଇକୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟ ନିକଟରେ ୨୫ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେପଟେ ବିଭିନ୍ନ ଜେଲରେ ବନ୍ଦୀ ଥିବା ବିଚାରାଧୀନ କଏଦୀଙ୍କ ଜାମିନ ନେଇ ବାଟ ଫିଟିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କଟକ ଚୌଦ୍ବାର ସର୍କଲ ଜେଲରେ ଆରମ୍ଭ ହୋଇଛି କ୍ୟାମ୍ପ କୋର୍ଟ । କଟକ ରୁରାଲ ଜେଏମଏଫସି ଏବଂ ଏସଡିଜେମ୍ ପହଞ୍ଚି କ୍ୟାମ୍ପ କୋର୍ଟ ଆରମ୍ଭ କରିଛନ୍ତି । ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଜାମିନ୍ ହୋଇପାରୁନାହିଁ, ଯାହା ଫଳରେ ଜେଲ ହିଁ ପାଲଟିଛି ବିଚାରଧିନ ଶହ ଶହ କଏଦୀଙ୍କ ଠିକଣା । ଏଭଳି ସ୍ଥିତିରେ ଜେଲ୍ ଭିତରେ କଏଦୀ ବିନା ଦଣ୍ଡବିଧାନରେ ସଜା କାଟୁଛନ୍ତି ଏବଂ ବାହାରେ ପରିବାର ଲୋକ ଛଟପଟ ହେଉଛନ୍ତି । ଏଥିପାଇଁ ଜେଲରେ କ୍ୟାମ୍ପ କୋର୍ଟ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । କ୍ୟାମ୍ପ୍ କୋର୍ଟରେ କେବଳ ଜାମିନ୍ ଆବେଦନର ଶୁଣାଣି ହେବ । ଜାମିନ ଆବେଦନ ଉପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.