ଆଇନଜୀବୀଙ୍କ ଆନ୍ଦୋଳନ ବିବାଦ ; ଆଜି ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକ
30/10/2018 at 9:33 AM

କଟକ ୩୦|୧୦: ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ସମଗ୍ର ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ହାଇକୋର୍ଟ ପରିସରରେ ଉଭୟ ଆଇନଜୀବୀ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ପରେ ଏବେ କଣ ରହିବ ଆଇନଜୀବୀଙ୍କ ଆଭିମୁଖ୍ୟ? ଏନେଇ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ଓ ଆକ୍ସନ କମଟି ବୈଠକରେ ଆଜି ନିଷ୍ପତ୍ତି ନିଆଯିବ । ବୈଠକରେ ଦେଖା ଦେଇଥିବା ପରିସ୍ଥିତି ସଂପର୍କରେ ଆଲୋଚନା ହେବ । ଏଥି ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ଗଲା ଦୁଇ ମାସ ହେଲା ଚାଲିଥିବା ଆନ୍ଦୋଳନରୁ ଓହରି ଗତକାଲି କାର୍ଯ୍ୟରେ ଯୋଗ ଦେବାକୁ ବିଜେଡି ଲିଗାଲ ସେଲ୍ ସଦସ୍ୟମାନେ ଯାଉଥିବା ବେଳେ ସେମାନଙ୍କୁ ଅନ୍ୟ ଗୋଷ୍ଠୀ ପ୍ରଚଣ୍ଡ ବିରୋଧ କରିଥିଲେ । ହାଇକୋର୍ଟ ପରିସରରେ ଉଭୟପକ୍ଷ ମଧ୍ୟରେ ଠେଲାପେଲା, ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ହାଇକୋର୍ଟ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି ।
ସେପଟେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସି.ଆର ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଶ୍ରୀ ପଟ୍ଟନାୟକ ଦାଖଲ କରିଥିବା ପିଟିସନର ଶୁଣାଣି ହୋଇଥିଲା । ବୁଧବାର ସୁଦ୍ଧା ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ରୁଜୁ ମାମଲାର ତଦନ୍ତର ସ୍ଥିତି ଅବଗତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଏହି ମାମଲାରେ କେବେ ଚାର୍ଜସିଟ୍ ଦାଖଲ ହେବ ସେ ନେଇ ଅବଗତ କରିବା ପାଇଁ ଖଣ୍ଡପୀଠ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ।