ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବୀ: ୨୩ଦିନରେ ଓକିଲଙ୍କ ଆନ୍ଦୋଳନ, ୨୯ରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ

Published By : Prameya-News7 Bureau | September 27, 2018 IST

ସମ୍ବଲପୁର୨୭|୯: ୨୩ଦିନରେ ପହଞ୍ଚିଲାଣି ଓକିଲଙ୍କ ଆନ୍ଦୋଳନ । ତଥାପି ନା’ ରାଜ୍ୟ ସରକାର ନା’ କେନ୍ଦ୍ର ସରକାର କାହାରି ନଜର ପଡ଼ୁନି । ଏମିତିରେ ଆଉ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ପ୍ରଭାବ ପଡ଼ିବ ନାହିଁ ବୋଲି ଅନୁଭବ କରି ସିଧା ଶକ୍ତି ପ୍ରଦର୍ଶନକୁ ଓହ୍ଲାଇଛନ୍ତି ଆଇନଜୀବୀ । ଗଲାକାଲି ଦେଖିବାକୁ ମିଳିଥିଲା ସମ୍ବଲପୁର ଓକିଲ ସଂଘର ଉଗ୍ରରୂପ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ଥିଲେ ଓକିଲମାନେ । ଖାଲି ସେତିକି ନୁହେଁ ବଳପୂର୍ବକ ସେମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ବାହାର କରି ଅଫିସରେ ତାଲା ପକାଇଦେଇଥିଲେ । ଆସନ୍ତା ୨୯ରେ ରାଜଗାଙ୍ଗପୁରରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ ଡକାଯାଇଛି। ଏହାପରେ ସାରା ପଶ୍ଚିମଓଡିଶାର ଓକିଲ ସମୂହ, ହାଇକୋର୍ଟ ବେଞ୍ଚ ଦାବିରେ ଓକଲିସଂଘକୁ ସମର୍ଥନ ଦେଇଆସୁଥିବା ୨୪୫ଟି ସାମାଜିକ ଓ ସାଂସ୍କୃତିକ ସଂଗଠନକୁ ନେଇ ମହାଅଧିବେସନ କରାଯିବ। ଏମିତିରେ ଓକିଲମାନେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ବିରୋଧରେ ଚୁଡାନ୍ତ ଲଢେଇ ଲଢ଼ିବାକୁ ରାସ୍ତାକୁ ଓହ୍ଲାଇବେ । ହେଲେ ୟା ଭିତରେ ଓକିଲଙ୍କ ଆନ୍ଦୋଳନ ଆଉ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କାହାର କେତେ ଆନ୍ତରିକତା ରହିଛି ତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଗଲା ୨୩ଦିନ ହେଲାଣି ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସମସ୍ତ କୋର୍ଟ ବନ୍ଦ ରହିଛି ।ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିବାକୁ ଦାବୀ କରିଛନ୍ତି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.