ଚାଇନା ଫୋନ୍ ବ୍ୟବହାର କରୁଥିବା ଓକିଲଙ୍କ IPL ରେ ଚାଇନିଜ୍ ସ୍ପନସର୍ ବ୍ୟାନ୍ କରିବାକୁ ଆବେଦନ : କୋର୍ଟ କହିଲେ 'ବହିଷ୍କାର ଆରମ୍ଭ ନିଜଠାରୁ କରନ୍ତୁ'

Published By : Prameya-News7 Bureau | July 08, 2020 IST

ଜୟପୁର ୦୮/୦୭ : ଗଲୱାନ ଘାଟିରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାପରେ ଭାରତ ସରକାର ଚାଇନିଜ ଆପ ବ୍ୟାନ କରିଛନ୍ତି | ସାରା ଦେଶରେ ଚାଇନିଜ ସାମଗ୍ରୀ ବହିଷ୍କାର କରିବାକୁ ଲୋକ ଅପିଲ କରୁଛନ୍ତି | ଇତି ମଧ୍ୟରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଇନ୍ଦ୍ରଜିତ ମହାନ୍ତି ଆଇପିଏଲ ସହ ଜଡିତ ଏକ ମାମଲାର ଶୁଣାଣି କରି ମୌଖିକ ଭାବେ କହିଛନ୍ତି ଯେ ଚାଇନିଜ ସାମଗ୍ରୀ ବହିଷ୍କାର କରିବା ନିଜଠାରୁ ଆରମ୍ଭ କରିବାକୁ ପଡିବ | ମଙ୍ଗଳବାର ଦିନ ଆଇପିଏଲର ଦୁଇଟି ମ୍ୟାଚ ଜୟପୁରରୁ ଗୁଆହାଟୀ ସ୍ଥାନାନ୍ତର କରାଯିବା ସମ୍ବନ୍ଧରେ ରାଜସ୍ଥାନ ହାଇକୋର୍ଟ ଏକ ଜନହିତ ମାମଲାର ଶୁଣାଣି କରିଥିଲେ |

{"id":297698,"sizeSlug":"large"}

ଶୁଣାଣିରେ ଆବେଦନକାରୀ ଅଧିବକ୍ତା ବିମଲ ଚୌଧୁରୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଆଇପିଏଲର ମୁଖ୍ୟ ସ୍ପନସର ଚାଇନିଜ ମୋବାଇଲ କମ୍ପାନୀ | ଏହାକୁ ମଧ୍ୟ ବ୍ୟାନ କରାଯିବା ଉଚିତ | ଏହି ଉକ୍ତି ଉପରେ ମୁଖ୍ୟ ନ୍ୟାୟାଧୀଶ ଇନ୍ଦ୍ରଜିତ ମହାନ୍ତି ଅଧିବକ୍ତା ବିମଲ ଚୌଧୁରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ପ୍ରଥମେ ଆପଣ କୁହନ୍ତୁ ଆପଣଙ୍କ ପାଖରେ କେଉଁ କମ୍ପାନୀର ମୋବାଇଲ ଫୋନ ଅଛି | ଅଧିବକ୍ତା ଚାଇନିଜ ବ୍ରାଣ୍ଡର ମୋବାଇଲ ଫୋନ ବ୍ୟବହାର କରୁଥିବାରୁ ନ୍ୟାୟାଧୀଶ କହିଥିଲେ ଆପଣ ପ୍ରଥମେ ନିଜ ଚାଇନିଜ ଫୋନ ତ୍ୟାଗ କରନ୍ତୁ | କାରଣ ବହିଷ୍କାର ଆରମ୍ଭ ନିଜଠାରୁ ହିଁ କରିବାକୁ ହେବ | ତେବେ ଚାଇନିଜ ସ୍ପନସର ମାମଲା ଆବେଦନର ଅଂଶବିଶେଷ ନଥିଲା | 

{"id":297699,"sizeSlug":"large"}

ଆଇପିଏଲ ୨୦୨୦ ସିଜନରେ ପୂର୍ବରୁ ନିର୍ଣ୍ଣୟ ହୋଇଥିବା ସିଡ୍ୟୁଲ ମ୍ୟାଚ ମଧ୍ୟରୁ ଅୟୋଜନକର୍ତ୍ତା ଦୁଇଟି ମ୍ୟାଚ ଜୟପୁରରୁ ଗୁଆହାଟୀକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ | ଏହାକୁ ନେଇ ରଣଜୀ ଖେଳାଳି ରାହୁଲ କାବଟ ଓ ଅନ୍ୟ ଖେଳାଳି ହାଇକୋର୍ଟରେ ଆବେଦନ କରିଥିଲେ | ଆବେଦନ ପତ୍ରରେ କୁହାଯାଇଥିଲା ଯେ ରାଜସ୍ଥାନରୁ ମ୍ୟାଚ ସ୍ଥାନାନ୍ତର ହେବାରୁ ଖେଳ ପ୍ରଭାବିତ ହେବ | ରାଜଥାନ ରୋୟାଲ୍ସ ଏବଂ ଅୟୋଜନକର୍ତ୍ତାଙ୍କ ମଧ୍ୟରେ ଚୁକ୍ତି ହୋଇଥିବା ଏମଓୟୁରେ ମଧ୍ୟ ସ୍ପଷ୍ଟ ହୋଇଛି ଯେ ଟିମର ଘରୋଇ ପଡିଆରେ ପୂର୍ବ ନିର୍ଧାରିତ ସମସ୍ତ ମ୍ୟାଚ କରାଇବାକୁ ହେବ | ସେହି ମ୍ୟାଚ ସିଡ୍ୟୁଲ ପରିବର୍ତ୍ତନ ହେବନାହିଁ | କିନ୍ତୁ ଶୁଣାଣି ସମୟରେ ବିସିସିଆଇର ଅଧିବକ୍ତା ଅଙ୍ଗଦ ମିର୍ଧା ହାଇକୋର୍ଟରେ କହିଥିଲେ ଯେ କରୋନା ଯୋଗୁଁ ବିସିସିଆଇ ଆଇପିଏଲ ମ୍ୟାଚ ଆଗାମୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି | ଏହି ଆବେଦନକୁ ହାଇକୋର୍ଟ ନିସ୍ତାର କରିଥିଲେ | ଏହାସହ ହାଇକୋର୍ଟ ଆବେଦନକାରୀଙ୍କୁ କହିଥିଲେ ଯେ ଗମି ସମୟରେ ମ୍ୟାଚ ଖେଳାଯାଏ ଏବଂ ଆବେଦନକାରୀଙ୍କୁ ଯଦି ଅନୁଭବ ହୁଏ ଯେ ତାଙ୍କ ମ୍ୟାଚ ପ୍ରଭାବିତ ହେଉଛି ତାହେଲେ ସେମାନେ ପୁନଃ ହାଇକୋର୍ଟରେ ଆବେଦନ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.