କାହା ସ୍ବାର୍ଥରେ ଓକିଲ ଆନ୍ଦୋଳନ? ଜଣେ ଓକିଲଙ୍କ ପାଇଁ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ, ଚାଲିଛି ବି ରାଜନୀତିର ରୁଟିସେକା

Published By : Prameya-News7 Bureau | November 01, 2018 IST

ଭୁବନେଶ୍ବର ୧|୧୧: ଅଗଷ୍ଟ ୨୮ରୁ ଆସି ନଭେମ୍ବର ୯ ହେଲାଣି । ଓକିଲଙ୍କ ଆନ୍ଦୋଳନ ଚାଲିଛି ଯେ, ଚାଲିଛି । ଆନ୍ଦୋଳନ ଭିତରେ ରାଜନୀତି ଏମିତି ପଶି ଯାଇଛି ଯେ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସ୍ଥିତି ସ୍ବାଭାବିକ ହେଉନି । ଅବଶ୍ୟ କ୍ୟାମ୍ପ କୋର୍ଟ ଜରିଆରେ କିଛି ଲୋକ ଜେଲ୍ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି, କିନ୍ତୁ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ବହୁ ବିଳମ୍ବିତ ହୋଇଗଲାଣି । ଝିମିଟି ଖଳରୁ ମହାଭାରତ । ଟ୍ରାଫିକ୍ ନିୟମ ଉଲ୍ଲଂଘନ, ତାହା ପୁଣି ବ୍ୟକ୍ତିଗତ କାମରେ ଯାଉଥିବା ବେଳେ, କିନ୍ତୁ ପ୍ରସଙ୍ଗ ହୋଇଛି ରାଜ୍ୟ ସମସ୍ୟା । କଟକରେ ପୋଲିସ୍-ଓକିଲ ବିବାଦର ପରିଣତି ସୀମା ଟପିଥିବା ବେଳେ ଦୁଇମାସରୁ ଅଧିକ ସମୟ ହେବ, ଦହଗଞ୍ଜ ହେଉଛନ୍ତି ସାରା ରାଇଜର ଲୋକ । ଆଇନଜୀବୀ ଦେବୀ ପଟ୍ଟନାୟକ । ଅଗଷ୍ଟ ୨୮ ତାରିଖରେ ବ୍ୟକ୍ତିଗତ କାମରେ ଯାଉଥିବା ବେଳେ କଟକରେ ଟ୍ରାଫିକ୍ ନିୟମ ଉଲ୍ଲଘଂନକୁ ନେଇ ପୋଲିସ ସହ ତାଙ୍କର ଝଗଡ଼ା ହେଲା । ଘଟଣାର ସମାଧାନ ଯଦି ଆଲୋଚନା ମାଧ୍ୟମରେ ହୋଇ ନପାରିଲା, ତେବେ ଆଇନ ଅନୁୟାୟୀ ହେବ । କିନ୍ତୁ ଜଣେ ଆଇନଜୀବୀଙ୍କ ବ୍ୟକ୍ତିଗତ ମାମଲାକୁ ନିଜସ୍ବ ମାମଲା କରିଛି ଓକିଲ ସଂଘ । ପୋଲିସ୍ ବିରୋଧରେ, ଓକିଲ ସଂଘ ପଏଣ୍ଟ୍ ସ୍କୋର୍ କରିବାକୁ ଚେଷ୍ଟା କରୁଥିବା ବେଳେ ଭିତରେ ପଶି ଘଟଣାକୁ ଜଟିଳ କରି ଦେଇଛନ୍ତି କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି । ଫଳରେ କଥା ଏତେ ବାଟକୁ ଆଗେଇ ଯାଇଛି ଯେ, ପଛକୁ ଫେରିବା ସମ୍ଭବ ହେଉନି । ସେପଟେ ଓକିଲଙ୍କ ଆନ୍ଦୋଳନ ଧୀରେ ଧୀରେ ଉଗ୍ର ହେଉଥିବା ବେଳେ କାହିଁକି ସରକାର ନୀରବ ଦ୍ରଷ୍ଟା ହୋଇ ବସି ରହିଲେ … ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ, ସରକାର ଅପିଲ୍ କରିବାରେ କେଉଁଠି ରହିଲା ଅସୁବିଧା ? ହଁ, ଏଠି ବି ରହିଲା ରାଜନୈତିକ ପଏଣ୍ଟ୍ ସ୍କୋରିଂର କଥା । ଓକିଲଙ୍କ ଆନ୍ଦୋଳନକୁ ନେଇ ପଲିଟିକାଲ୍ କାର୍ଡ ଖେଳିବାରେ ମାତିଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି । ତେଣୁ ଏଭଳି ସ୍ଥିତିରେ ରାଜ୍ୟବାସୀଙ୍କ ସ୍ବାର୍ଥ କଥା ବା ପଚାରେ କିଏ ? ଜେଲ୍ ଉଛୁଳିଲା ପରେ ସମସ୍ତେ ହିଟ୍ ଫିଲ୍ କଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜେଲରେ କ୍ୟାମ୍ପ କୋର୍ଟ କରି ଜାମିନ୍ ଆବେଦନର ଶୁଣାଣି ବ୍ୟବସ୍ଥା ଆରମ୍ଭ ହୋଇଛି । କ୍ୟାମ୍ପ କୋର୍ଟ ମାଧ୍ୟମରେ କିଛି ଲୋକ ସିନା ଜେଲ୍ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି, ହେଲେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ଯଥେଷ୍ଟ ବିଳମ୍ବିତ ହୋଇ ସାରିଲାଣି । ଓକିଲଙ୍କ ଉପରେ ଆକ୍ରମଣ ମାମଲାର ତଦନ୍ତ ଜଣେ ବିଚାରପତିଙ୍କ ତତ୍ତ୍ବାବଧାନରେ ହେବ ଏବଂ ୯ ତାରିଖ ମଧ୍ୟରେ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ଆନ୍ଦୋଳନରୁ ହଟୁ ନାହାନ୍ତି ଓକିଲମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.