ଆଇନଜୀବୀ-ପୋଲିସ ବିବାଦ ମାମଲା ; ୩ ପୋଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର ଆଦେଶ ଉପରେ ଅଙ୍କୁଶ ଜାରି କଲେ ହାଇକୋର୍ଟ

Published By : Prameya-News7 Bureau | November 12, 2018 IST

କଟକ ୧୨|୧୧: ପୋଲିସ-ଆଇନଜୀବୀ ବିବାଦ ମାମଲା ଉପରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ୩ ପୋଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର ଆଦେଶ ଉପରେ ହାଇକୋର୍ଟ ଅଙ୍କୁଶ ଜାରି କରିଛନ୍ତି । ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପଟେ ଆଜି ଅପରାହ୍ନରେ ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକ ବସୁଛି । ଓକିଲ-ପୋଲିସ ବିବାଦ ପାଇଁ ପ୍ରାୟ ଅଢେଇ ମାସରୁ ହେବ କୋର୍ଟ କାମ ବନ୍ଦ ରହିଛି । ଲୋକେ ନାହିଁ ନଥିବା ଅସୁବିଧା ସାମ୍ନା କରୁଛନ୍ତି । ଏଭଳି ସ୍ଥିତିରେ ପରିସ୍ଥିତି ସ୍ବାଭାବିକ ପାଇଁ ପୋଲିସ ମହା ନିର୍ଦ୍ଦେଶକ ପଦକ୍ଷେପ ନେଇଛନ୍ତି । ହାଇକୋର୍ଟ ବାର୍ ଆସୋସିଏସନକୁ ଡକାଇ ଆଲୋଚନା କରିଛନ୍ତି ପୋଲିସ ମହା ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଡିଜିପିଙ୍କ ନିମନ୍ତ୍ରଣ ରକ୍ଷା କରି ବାର୍ ଆସୋସିଏସନର କର୍ମକର୍ତ୍ତା ବୈଠକକୁ ଆସିଥିଲେ । ବକ୍ସି ବଜାର ଆଇପିଏସ ମେସରେ ପ୍ରାୟ ୩ ଘଣ୍ଟା ଧରି ହୋଇଥିବା ଏହି ବୈଠକ ସକାରାତ୍ମକ ହୋଇଛି । ତେବେ ଆଜି  ହାଇକୋର୍ଟ ବାର୍ ସାଧାରଣ ପରିଷଦରେ ଏହା ଉପରେ ଚର୍ଚ୍ଚା ହେବ । ତା ପରେ ହୁଏତ କିଛି ନିଷ୍କର୍ଷ ବାହାରିପାରେ । ଟ୍ରାଫିକ୍ ନିୟମ ଉଲ୍ଲଘଂନ ନେଇ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକ ଓ ପୋଲିସ ମଧ୍ୟରେ ଗଣ୍ଡଗୋଳ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କିଛି ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇ ଥିଲେ ମଧ୍ୟ, ସେମାନଙ୍କ ଗିରଫଦାରୀ ଦାବିରେ ୭୪ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ଓକିଲମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.