ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ଉପରେ ଯୌନଶୋଷଣ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ବଦଳାଇଲେ ନିଜ ବୟାନ

Published By : Prameya-News7 Bureau | October 14, 2020 IST

ଲକ୍ଷ୍ମୌ ୧୪/୧୦: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ  ଓରଫ କୃଷ୍ଣପାଳ ସିଂହଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ନିଜ ବୟାନରୁ ଏବେ ଓହରିଛନ୍ତି। ଅର୍ଥାତ୍ ସେ ଦେଇଥିବା ବୟାନକୁ ଏବେ ଅସ୍ବୀକାର କରୁଛନ୍ତି।

ସରକାରୀ ଓକିଲଙ୍କ ଅନୁସାରେ ଅ​କ୍ଟୋବର ୯ ତାରିଖରେ ଏହି ମାମଲାର ସାକ୍ଷ୍ୟରେ ଛାତ୍ରୀ ଜାଣିଶୁଣି ନିଜ ବୟାନ ବଦଳାଇ ଦେଇଛନ୍ତି। ଓକିଲଙ୍କ କହିବା କଥା ଅଭିଯୁକ୍ତଙ୍କ ସହ ସେ ବୁଝାମଣା କରି ନେଇଛି। ଏବେ ଛାତ୍ରୀଙ୍କ ବିରୋଧରେ ସରକାରୀ ଓକିଲ ସିଆରପିସି ଧାରା ୩୪୦ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ତେବେ ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୧୫ରେ ହେବ।

ସରକାରୀ ଓକିଲ ଅଭୟ ତ୍ରିପାଠୀ କହିଛନ୍ତି ୨୦୧୯ ସେପ୍ଟେମ୍ବର ୫ରେ ଛାତ୍ରୀ ନିଜେ ଲୋଧି କଲୋନି ଥାନାରେ ରିପୋର୍ଟ ଦେଇଥିଲେ। ଯାହାକୁ ପୀଡିତଙ୍କ ବାପାଙ୍କ ଦ୍ବାରା ଶାହଜହାଁପୁରରେ ରୁଜୁ ହୋଇଥିବା ରିପୋର୍ଟ ସହ ଯୋଡି ଦିଆଯାଇଥିଲା। ଏହା ପରେ ଏସଆଇଟି ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା। ତା’ପରେ ଛାତ୍ରୀ ଘଟଣାକୁ ସତ ବୋଲି କହିଥିଲେ। ମାତ୍ର ଅକ୍ଟୋବର ୯ରେ ସେ ଦେଇଥିବା ବୟାନକୁ ଜାଣିଶୁଣି ବଦଳାଇଛନ୍ତି।

କ’ଣ ଥିଲା ମାମଲା: ୨୦୧୯ ଅଗଷ୍ଟ ୨୭ରେ ଛାତ୍ରୀଙ୍କ ବାପା ଶାହଜହାଁପୁରରେ ମାମଲା ରୁଜୁ କରିଥିଲେ। ଅଗଷ୍ଟ ୨୩ରୁ ତାଙ୍କ ମୋବାଇଲ ବନ୍ଦ ଥିଲା। ଫେସବୁକ ଭିଡ଼ିଓରୁ ଦେଖିବାକୁ ମିଳିଲା ଯେଉଁଥିରେ ସ୍ବାମୀ ଚିନ୍ମୟାନନ୍ଦ ଓ ଅନ୍ୟ କିଛି ଲୋକ ସେହି ଛାତ୍ରୀ ଓ ଅନ୍ୟ ଛାତ୍ରୀଙ୍କ ସହ ଶାରିରୀକ ଶୋଷଣ ଓ ଦୁଷ୍କର୍ମ କରିବା​ ପରେ ଜୀବନରୁ ମାରିଦେବାର ଧମକ ମିଳିଥିଲା। ପରେ କୁହାଗଲା ଛାତ୍ରୀଙ୍କୁ ଅପହରଣ କରି ନିଆଗଲା। ସୁପ୍ରମିକୋର୍ଟ ନିର୍ଦେଶ ପରେ ଏସଆଇଟି ଗତବର୍ଷ ସେପ୍ଟେମ୍ବରରେ ଚିନ୍ମୟାନନ୍ଦଙ୍କୁ ଗିରଫ କରିଥିଲା। ମାତ୍ର ଫେବୃଆରୀରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.