ଏକକ ନିର୍ବାଚନ ପ୍ରସଂଗରେ ପୁଣି ଆରମ୍ଭ ହେଲା ବିତର୍କ: ଲ କମିଶନ ଦେଲେ ତିନିଟି ଫର୍ମୁଲା
31/08/2018 at 7:01 AM

ଦେଶରେ ଏକକ ନିର୍ବାଚନ ସପକ୍ଷରେ ଲ-କମିଶନ । କିନ୍ତୁ ଏହାକୁ କିଭଳି ଲାଗୁ କରାଯାଇ ପାରିବ ଏବଂ ଏଥିପାଇଁ କଣ ଫର୍ମୂଲା ରହିବ, ତା ଉପରେ ଲୋକଙ୍କ ମତାମତ ଲୋଡ଼ିଛନ୍ତି କମିଶନ । କମିଶନଙ୍କ ଏଭଳି ଡ୍ରାଫ୍ ସର୍ବସମ୍ମତ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । ଯେହେତୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆଗୁଆ ଚାଲିଛି, ସେଥିପାଇଁ କାଳେ ଆଗୁଆ ନିର୍ବାଚନ ହେବ, ସେନେଇ ଚର୍ଚ୍ଚା ମଧ୍ୟ ଜୋର୍ ଧରିଛି । ଏଭଳି କ୍ଷେତ୍ରରେ ଲୋକସଭା ନିର୍ବାଚନର ପୂର୍ବ ଓ ପର ୭-୮ ମାସ ଭିତରେ ହେବାକୁ ଥିବା ରାଜ୍ୟ ନିର୍ବାଚନକୁ କିଭଳି ଆଡଜଷ୍ଟ କରି ଆଗୁଆ ନିର୍ବାଚନ କରିହେବ ତାର ଏକ ବ୍ଲୁପ୍ରିଣ୍ଟ ଦେଇଛନ୍ତି ଲ-କମିଶନ ।
ଫଳରେ ଏକକ ନିର୍ବାଚନ ପ୍ରସଙ୍ଗରେ ପୁଣି ଜୋର ଧରିଲା ବିତର୍କ । ଭାରତ ଭଳି ଏକ ବିଶାଳ ଦେଶରେ ଏକକ ନିର୍ବାଚନ ଜୁରୁରୀ କି ? ଯଦି ହଁ, ତାହାଲେ ଏହା ସମ୍ଭବ କି ? ଯଦି ହଁ, ତା ହେଲେ ଏହାକୁ କିଭଳି କାର୍ଯ୍ୟକ୍ଷମ କରାଯିବ ? ଲ-କମିଶନଙ୍କ ଏଭଳି ଏକ ଡ୍ରାଫ୍ଟ ରିପୋର୍ଟ ଉପରେ ଲୋକଙ୍କ ମତାମତା ଲୋଡ଼ା ଯାଇଥିବା ବେଳେ ଜୋର୍ ଧରିଛି ଚର୍ଚ୍ଚା । ଏକକ ନିର୍ବାଚନ ହେଲେ ସମ୍ବିଧାନର ମୌଳିକତା କ୍ଷୁର୍ଣ୍ଣ ହେବ କି ନାହିଁ, ସେନେଇ ବିତର୍କର ଆବଶ୍ୟକତା ରହିଛି । ପୁଣି ଯଦି ନିର୍ବାଚନ ପରେ କାହାକୁ ସ୍ପଷ୍ଟ ବହୁମତ ନମିଳେ, ତା ହେଲେ ସର୍ବସମ୍ମତ କ୍ରମେ ବାଚସ୍ପତି ଚୟନ ହେବା ଭଳି ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ଚୟନ ହୋଇ ପାରିବେ କି ? ଏଭଳି କ୍ଷେତ୍ରରେ ସମ୍ବିଧାନର ଦଶମ ଅନୁଚ୍ଛେଦର ସଂଶୋଧନ କିଭଳି ଓ କେତେ ପରିମାଣରେ ହେବ ତାହା ମଧ୍ୟ ଆଉ ଏକ ବିତର୍କର ବିଷୟ । ବିଜେଡି, ବିଜେପି କିନ୍ତୁ କହୁଛନ୍ତି ଏକକ ନିର୍ବାଚନ ହେଲେ ଦେଶ ପାଇଁ ଭଲ । ଭାରତରେ ଏକକ ନିର୍ବାଚନ ଜରୁରୀ ବୋଲି ଡ୍ରାଫ୍ଟରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଲ-କମିଶନ । ସେଥିପାଇଁ ଏକ ଓାର୍କିଙ୍ଗ ଫର୍ମୂଲା ବି ବାହାର କରିଛନ୍ତି କମିଶନ । ପ୍ରଥମ ଫର୍ମୂଲା ଅନୁଯାୟୀ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକିମ୍ ଓ ତେଲେଙ୍ଗାନା ଲୋକସଭା ନିର୍ବାଚନ ସହ ଯାଉଛନ୍ତି । ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଦିଲ୍ଲୀ ଆଦି ରାଜ୍ୟରେ ସାଧାରଣ ନିର୍ବାଚନ ୭-୮ ମାସ ପରେ ବିଧାନସଭା ନିର୍ବାଚନ ହେଉଛି । ତେଣୁ ଏସବୁ ରାଜ୍ୟକୁ ସାଧାରଣ ନିର୍ବାଚନ ସହ ଯୋଡି ଦେଇହେବ । ସେହିଭଳି ସାଧାରଣ ନିର୍ବାଚନର ୪-୫ ମାସ ପୂର୍ବରୁ ହେଉଥିବା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମ ବିଧାନସଭାକୁ ୬ ମାସ ବଢାଇବାକୁ ପଡ଼ିବ । ତେବେ ଏମିତି କରିବାକୁ ହେଲେ ସମ୍ବିଧାନର ଧାରା ୧୭୨ରେ ସଂଶୋଧନ ଦରକାର । ଯାହାକି ବର୍ତମାନ ସବୁଠୁ ବଡ଼ ଅସୁବିଧା ହୋଇ ଠିଆହୋଇଛି । କଂଗ୍ରେସ ଭଳି ଅନେକ ଦଳ, ସମ୍ବିଧାନ ସଂଶୋଧନକୁ ବିରୋଧ କରୁଛନ୍ତି ।
ସମ୍ବିଧାନ ସଂଶୋଧନ ହେଲେ, ସାଧାରଣ ନିର୍ବାଚନ ସହ ଦିଲ୍ଲୀ ସମେତ ୧୩ ରାଜ୍ୟରେ ଏକା ସମୟରେ ନିର୍ବାଚନ ହୋଇପାରିବ । ନହେଲେ ଲୋକସଭା ନିର୍ବାଚନ ପରେ ଯେଉଁ ରାଜ୍ୟର ନିର୍ବାଚନ ବର୍ଷେ ଭିତରେ ପଡୁଛି ସେମାନଙ୍କୁ ଲୋକସଭା ସହ ଆଗୁଆ ନିର୍ବାଚନ କରାଇବାକୁ ମଧ୍ୟ କୁହାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏମିତି କରି ବାକି ରାଜ୍ୟର ସବୁ ନିର୍ବାଚନ ୨୦୨୧ ସୁଦ୍ଧା କରାଇ ପାରିଲେ ୫ ବର୍ଷରେ ଅତି ବେଶୀରେ ୨ ଥର ନିର୍ବାଚନ ସମ୍ମୁଖୀନ ହେବ ଦେଶ । ଯାହା କମିଶନଙ୍କ ଦ୍ୱିତୀୟ ଫର୍ମୂଲା । ତୃତୀୟ ଫର୍ମୂଲା ଅନୁଯାୟୀ, ସାଧାରଣ ନିର୍ବାଚନ ବାଦ୍ ପ୍ରତିବର୍ଷ ଯେଉଁ ୫-୬ଟି ରାଜ୍ୟର ନିର୍ବାଚନ ହେଉଛି, ସେସବୁ ରାଜ୍ୟର ଗୋଟିଏ ସମୟରେ ନିର୍ବାଚନ କରିଦେଲେ ବି ଅନେକ ଅର୍ଥ ଓ ସମୟ ବଞ୍ଚାଇ ହେବ ।