ପଞ୍ଚଭୂତରେ ବିଲୀନ ହେଲା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର, ଜ୍ବାଇଁ ଦେଲେ ମୁଖାଗ୍ନି

Published By : Prameya-News7 Bureau | July 21, 2020 IST

ଭୁବନେଶ୍ବର ୨୧।୭: ପଞ୍ଚଭୂତରେ ବିଲୀନ ହେଲେ ଓଡିଶା ସିନେ ଜଗତର ବେତାଜ ବାଦଶାହ ବିଜୟ ମହାନ୍ତି । ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି । ବିଜୟ ମହାନ୍ତିଙ୍କ ଦେହାନ୍ତ ଖବର ପାଇ ଓଡିଶା ସିନେ ଜଗତର ବହୁ ବରିଷ୍ଠ କଳାକାର ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ହସ୍ପିଟାଲରୁ ତାଙ୍କ ମରଶରୀରକୁ ବମିଖାଲ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ପରିବାର ସଦସ୍ୟ, ପତ୍ନୀ, ଝିଅ, ଜ୍ବାଇଁ, ସ୍ଥାନୀୟ ବାସିନ୍ଦା ଓ ଅନେକ କଳାକାର ମଧ୍ୟ ଶେଷ ଦର୍ଶନ କରିଥିଲେ ।

ଏହାପରେ ବିଜୟ ମହାନ୍ତିଙ୍କ ମରଶରୀର ତାଙ୍କ ବାସଭବନରୁ ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଏହାସହ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଅନେକ ବିଧାୟକ, ମନ୍ତ୍ରୀ, ସାଂସଦ ଏବଂ କଳାକାର ଓ ପ୍ରଶଂସକ ଅନ୍ତିମ ଦର୍ଶନ କରିଥିଲେ । ଏହାପରେ ବିଜୟ ମହାନ୍ତିଙ୍କ ମରଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା । ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଅଭିନେତା ବିଜୟ ମହାନ୍ତିଙ୍କ ଶୈଶବରୁ ଯୌବନ କଟିଥିଲା ବାରିପଦାରେ । ତାଙ୍କୁ ମନେ ପକାଇ ଝୁରୁଛନ୍ତି ତାଙ୍କ ବାଲ୍ୟବନ୍ଧୁ ଓ ନାଟକ ସଙ୍ଗୀମାନେ । ବାରିପଦାର ଏମକେସି ହାଇସ୍କୁଲ ପରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସନ୍ଧ୍ୟା ମହାବିଦ୍ୟାଳୟରେ କଲେଜ ଜୀବନ କଟିଥିଲା । ବାପା ଆଦିକନ୍ଦ ମହାନ୍ତି ବାରିପଦାରେ ସରକାରୀ ଚାକିରୀ କରୁଥିଲେ । ତେଣୁ ବିଜୟଙ୍କ ସ୍କୁଲ ଏବଂ କଲେଜ ଜୀବନ କଟିଥିଲା ବାରିପଦାର ସରକାରୀ କ୍ବାଟର୍ସରେ । ଏହାପରେ ଅଭିନୟ ଏବଂ ନାଟକର ଆକର୍ଷଣରେ ଦିଲ୍ଲୀ ସ୍ଥିତ ନାସନାଲ ସ୍କୁଲ ଅଫ୍ ଡ୍ରାମା ଯାଇଥିଲେ । ସେହିଠାରୁ ଅଭିନୟ ଦୁନିଆରେ ଆଉ କେବେ ପଛକୁ ଚାହିଁ ନଥିଲେ ବିଜୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.