ଆଇପିଏଲ ୨୦୨୦: ଟିମ୍ରୁ ଆଉଟ୍ ଲସିଥ ମାଲିଙ୍ଗା, ତେବେ ମୁମ୍ଵାଇ ଇଣ୍ଡିଆନ୍ସରେ ତାଙ୍କର ବଦଳେ କିଏ
2/09/2020 at 9:09 PM

ଆବୁଧାବି ୦୨।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଫ୍ରାଞ୍ଚାଇଜି ଦଳ ମୁମ୍ବାଇ ଇଣ୍ଡିଆନ୍ସର ବରିଷ୍ଠ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା ଚଳିତ ବର୍ଷ ସଂସ୍କରଣରେ ନଜର ଆସିବେ ନାହିଁ। ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ପ୍ରତିଷ୍ଠିତ ଏହି ଟି-୨୦ ଲିଗ୍ରେ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ମାଲିଙ୍ଗାଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମ୍ସ ପାଟିସନଙ୍କୁ ଦଳରେ ସାମିଲ କରିଥିବା ଘୋଷଣା କରିଛି।
ଶ୍ରୀଲଙ୍କାର ଅନୁଭବୀ ଦ୍ରୁତ ବୋଲର ମାଲିଙ୍ଗାଙ୍କ ବିଷୟରେ ଦଳ କହିଛି, ସେ ବ୍ୟକ୍ତିଗତ କାରଣରୁ ଚଳିତ ୧୩ତମ ସଂସ୍କରଣରେ ଉପଲବ୍ଧ ହେବେ ନାହିଁ। ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ଖେଳି ପାରିବେ ନାହିଁ ବୋଲି ଅନୁରୋଧ କରିଥିଲେ ଏବଂ ଶ୍ରୀଲଙ୍କାରେ ନିଜ ପରିବାରକୁ ସମୟ ଦେବାକୁ ଚାହାନ୍ତି।
Lasith Malinga will miss this season’s #Dream11IPL with Australian speedster James Pattinson replacing him.
— Mumbai Indians (@mipaltan) September 2, 2020
📰 Read more 👇#OneFamily #MumbaiIndians #MI https://t.co/ZllfElMS1J
ଚଳିତ ସପ୍ତାହ ଶେଷ ସୁଦ୍ଧା ପାଟିସନ ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗ ଦେବେ। ମାଲିଙ୍ଗା ମୁମ୍ବାଇ ଦଳ ପାଇଁ ମ୍ୟାଚ୍ ବିଜୟୀ ବୋଲର ଥିଲେ। ଗତ ବର୍ଷ ଦଳକୁ ଚମ୍ପିଆନ କରାଇବାରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ଟିମ୍ ମାଲିକ ଆକାଶ ଅମ୍ବାନୀ ପାଟିନସନଙ୍କ ସ୍ଵାଗତ କରିବା ସହିତ ମାଲିଙ୍ଗାଙ୍କୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଜେମ୍ସ ଆମ ସହିତ ଫିଟ୍ ହେବା ପାଇଁ ଉପଯୁକ୍ତ ଖେଳାଳି ଏବଂ ଆମର ଦ୍ରୁତ ବୋଲର ବାହିନୀକୁ ଅଧିକ ମଜବୁତ କରିବେ। ମାଲିଙ୍ଗା ଶ୍ରୀଲଙ୍କା ପାଇଁ ଗତ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଚଳିତ ବର୍ଷ ମାର୍ଚ୍ଚରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ଶୃଙ୍ଖଳାରେ ଖେଳିଥିଲେ।
ଗତ ଶୁକ୍ରବାର ନିଜର ୩୭ତମ ଜନ୍ମ ଦିନ ପାଳନ କରିଥିବା ମାଲିଙ୍ଗା ଆଇପିଏଲ ଇତିହାସରେ ସବୁଠୁ ଅଧିକ ଓ୍ଵିକେଟ୍ହାସଲକାରୀ ବୋଲର। ସେ ଏ ପର୍ଯ୍ୟନ୍ତ ୧୨୨ଟି ମ୍ୟାଚ୍ରେ ୧୭୦ ଓ୍ଵିକେଟ୍ ହାସଲ କରିଛନ୍ତି। ସେ ଆଇପିଏଲ ୨୦୧୯ର ଫାଇନାଲ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସର ଶାର୍ଦ୍ଦୁଳ ଠାକୁରଙ୍କୁ ଅନ୍ତିମ ବଲରେ ଆଉଟ୍ କରି ମୁମ୍ବାଇକୁ ଏକ ରନରେ ଚମ୍ପିଆନ କରାଇଥିଲେ। ମାଲିଙ୍ଗା ଗତ ସଂସ୍କରଣରେ ୧୨ଟି ମ୍ୟାଚ୍ରୁ ୧୬ ଓ୍ଵିକେଟ୍ ନେଇଥିଲେ।