କାଶ୍ମୀର ସ୍ଥିତି ଉପରେ କଡା ନଜର : ଧୀରେ ଧୀରେ କୋହଳ ହେଉଛି କଟକଣା
18/08/2019 at 10:28 AM

ଶ୍ରୀନଗର ୧୮/୮: କାଶ୍ମୀର ସ୍ଥିତି ଉପରେ କଡା ନଜର ରଖାଯାଇଛି । ଧୀରେ ଧୀରେ କଟକଣା କୋହଳ ହେଉଛି । ଗତକାଲି ସଂଧ୍ୟା ସୁଦ୍ଧା କାଶ୍ମୀରରେ ୨୩ହଜାର ଲ୍ୟାଣ୍ଡଲାଇନ୍ ଫୋନ୍ ଚାଲୁ ହୋଇ ଯାଇଛି । ୩୫ଟି ପୋଲିସ ଥାନା କ୍ଷେତ୍ରରେ ଲୋକଙ୍କ ଯାଆସ ଉପରୁ କଟକଣା ହଟାଇ ଦିଆଯାଇଛି ।

ତେବେ କାଶ୍ମୀରରେ ଦୋକାନ, ବଜାର ବନ୍ଦ ରହିଛି । ଆସନ୍ତାକାଲି ଶ୍ରୀନଗରରେ ୧୯୦ଟି ପ୍ରାଥମିକ ସ୍କୁଲ ଖୋଲିବ । ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ କଡା ବନ୍ଦୋବସ୍ତ କରାଯାଇଛି । ତେବେ ହାଇସ୍କୁଲ ଏବଂ କଲେଜ ପରବର୍ତ୍ତୀ ସମୟରେ ଖୋଲିବ । ଏହାସହ ସ୍ଥିତିକୁ ନଜରରେ ରଖି ଅନ୍ୟ କିଛି କଟକଣା ମଧ୍ୟ ଧୀରେ ଧୀରେ ଉଠାଯିବ । ଜାମ୍ମୁକାଶ୍ମୀର ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ ଯେଉଁ ସବୁ ଇଲାକାରେ କଟକଣା କୋହଳ କରାଯାଇଛି ସେସବୁ ଇଲାକାରେ ହିଂସା ଦେଖିବାକୁ ମିଳିନି ।

ତେବେ ଯେଉଁଠି କଟକଣା କୋହଳ ହୋଇନି ସେଠାରେ ଛୋଟମୋଟ ହିଂସା ଦେଖିବାକୁ ମିଳିଛି । ଜାମ୍ମୁର ୫ଟି ଜିଲ୍ଲାରେ ଟୁ-ଜି ସ୍ପିଡ୍ ରେ ଇଣ୍ଟରନେଟ୍ ଯୋଗାଇ ଦିଆଯାଇଛି । ସେପଟେ ହଜ୍ ରେ ଯାଇଥିବା ଲୋକେ କିଭଳି ସୁରକ୍ଷିତ ଭାବରେ ଘରକୁ ଫେରିବେ ସେନେଇ ବ୍ୟବସ୍ଥା କରାଯାଇଛି।
