ଖାଇବାକୁ ପାଉନଥିବା ମହିଳାଙ୍କ ନାଁରେ ରହିଛି ୧୦୦ କୋଟି ଟଙ୍କାର ଜମି

Published By : Prameya-News7 Bureau | July 04, 2019 IST

ଜୟପୁର ୪/୭ : ଜୟପୁର ଆୟକର ବିଭାଗ ୧୦୦ କୋଟି ଟଙ୍କା ସମ୍ପତ୍ତିର ଏମିତି ଜଣେ ମହିଳାଙ୍କୁ ଖୋଜି ବାହାର କରିଛନ୍ତି ଯିଏ ଖାଇବାକୁ ମଧ୍ୟ ପାଆନ୍ତିନାହିଁ । ଜୟପୁର ଦିଲ୍ଲୀ ରାଜପଥରେ ୧୦୦ କୋଟିରୁ ଅଧିକ ୬୪ ବର୍ଗଫୁଟ ଜମି ଖୋଜି ବାହାର କରିଛନ୍ତି ୟେଉଁ ଜମିର ମାଲିକାଣୀ ଜଣେ ଆଦିବାସୀ ମହିଳା । ମହିଳା ଜାଣିନାହାନ୍ତି ସେ ଜମି କେବେ କିଣିଥିଲେ ଓ ଜମି କେଉଁଠି ଅଛି । ଆୟକର ବିଭାଗ ଏହି ଜମିକୁ ଜବତ କରିଛି ।

ଜୟପୁର ଦିଲ୍ଲୀ ରାଜପଥରେ ଦଣ୍ଡ ଗାଁରେ ଥିବା ଏହି ଜମିରେ ଆୟକର ବିଭାଗର ଅଧିକାରୀ ବ୍ୟାନର ଲଗାଇଛନ୍ତି । ବ୍ୟାନରରେ ଲେଖାଯାଇଛି, ବେନାମୀ ସମ୍ପତ୍ତି ନିଷେଧ ଅଧିନିୟମ ଅନୁଯାୟୀ ଏହି ଜମିକୁ ବେନାମୀ ଘୋଷଣା କରି ଆୟକର ବିଭାଗ ଜବତ କରିଛି । ବ୍ୟାନରରେ ଆହୁରି ଲେଖାଯାଇଛି, ଏହି ଜମିର ମାଲିକାଣୀ ସଞ୍ଜୁ ଦେବୀ ମିଣା । କିନ୍ତୁ ସେ ଏହି ଜମିର ମାଲିକାଣୀ ହୋଇପାରିବେ ନାହିଁ ଯେଉଁଥିପାଇଁ ଆୟକର ବିଭାଗ ଏହି ଜମିକୁ ଜବତ କରିଛି  ।


ଆୟକର ବିଭାଗଙ୍କୁ ସୂଚନା ମିଳିଥିଲା ଯେ, ଦିଲ୍ଲୀ ରାଜପଥରେ ଅନେକ ସଂଖ୍ୟକ ଦିଲ୍ଲୀ ଓ ମୁମ୍ବାଇ ଉଦ୍ୟୋଗପତି ଆଦିବାସୀଙ୍କ ମିଛ ନାଁରେ ଜମି କିଣୁଛନ୍ତି । କେବଳ କାଗଜପତ୍ରରେ ଲେଣଦେଣ ହେଉଛି । ଆଇନ ଅନୁଯାୟୀ, ଆଦିବାସୀଙ୍କ ଜମି ଆଦିବାସୀ ହିଁ କିଣିପାରିବେ । କାଗଜପତ୍ରରେ କିଣିବା ପରେ ଏମାନେ ନିଜ ଲୋକଙ୍କ ନାଁରେ ପାୱାର ଅଫ୍ ଅଟର୍ଣ୍ଣି ଦସ୍ତଖତ କରାଇ ରଖିପକାନ୍ତି ।

ଏହି ଜମି ସମ୍ପର୍କରେ ଜାଣିବା ପରେ ଆୟକର ବିଭାଗ ଅସଲ ମାଲିକାଣୀଙ୍କୁ ଖୋଜିଥିଲା । ଖୋଜିବା ପରେ ଜଣାପଡିଲା ଏହି ଜମିର ଅସଲ ମାଲିକାଣୀ ରାଜସ୍ଥାନ ସିକର ଜିଲ୍ଲା ନିମ ଥାନା ଅନ୍ତର୍ଗତ ଦୀପାବାସ ଗାଁରେ ରୁହନ୍ତି । ଗାଁଟି ପାହାଡ ତଳେ । ଯେଉଁଠାକୁ ଯିବା ପାଇଁ ରାସ୍ତା ମଧ୍ୟ ନାହିଁ । ଆୟକର ବିଭାଗ ଯେତେବେଳେ ଗାଁରେ ପହଞ୍ଚଥିଲେ ସଞ୍ଜୁ ମିଣା କହିଥିଲେ ଯେ, ତାଙ୍କ ସ୍ୱାମୀ ଓ ଶ୍ୱଶୁର ମୁମ୍ବାଇରେ କାମ କରନ୍ତି । ୨୦୦୬ ମସିହାରେ ତାଙ୍କୁ ସେମାନେ ଜୟପୁର ଆମେରକୁ ନେଇ ଏକ କାଗଜରେ ଟିପ ମାରିବାକୁ କହିଥିଲେ । ସଞ୍ଜୁ ମିଣାଙ୍କ ସ୍ୱାମୀଙ୍କ ମୃତ୍ୟୁ ୧୨ ବର୍ଷ ହେଲା ହୋଇସାରିଛି । କିନ୍ତୁ ସେ ଜାଣିନାହାନ୍ତି ତାଙ୍କ ନାଁରେ କେଉଁ ସମ୍ପତ୍ତି ଅଛି ଏବଂ କେଇଁଠାରେ ଅଛି । ସ୍ୱାମୀଙ୍କ ମୃତ୍ୟୁ ପରେ କେହି ଜଣେ ଆସି ତାଙ୍କୁ ପ୍ରତି ମାସରେ ୫ ହଜାର ଦେଇଯାଇଥାନ୍ତି । ସେଥିରୁ ତାଙ୍କ ନଣନ୍ଦ ଅଢେଇ ହଜାର ରଖନ୍ତି ଓ ଅଢେଇ ହଜାରରେ ସେ ଘର ଚଳାନ୍ତି । କିନ୍ତୁ କେତେ ବର୍ଷ ହେଲା ଆଉ କେହି ଟଙ୍କା ଦେବାକୁ ଆସୁନାହାନ୍ତି ।

ସଞ୍ଜୁ ମିଣାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଘର ଚଳାଇବା ପାଇଁ ଏବଂ ୨ ପିଲାଙ୍କ ଭରଣପୋଷଣ ପାଇଁ ମଜୁରୀ କରନ୍ତି । ଆୟକର ବିଭାଗର ଏହି ଖୁଲାସା ପରେ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଗାଁଲୋକଙ୍କ କହିବାନୁଯାୟୀ, ଅନେକ କମ୍ପାନୀ ସେଠାରେ ଜମି କିଣିଛନ୍ତି । ଏହି ଜମିଗୁଡିକ କମ୍ପାନୀର କିନ୍ତୁ କେହି ଜାଣିନାହାନ୍ତି ଜମି କାହାର । ଗତ କିଛି ବର୍ଷ ମଧ୍ୟରେ ଆୟକର ବିଭାଗ ଏହି ଅଞ୍ଚଳରେ ୧୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ସେଥିରୁ କୋର୍ଟ ୬୯ ମାମଲାରେ ଜମିଗୁଡିକୁ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.