ଆନ୍ଧ୍ର ଅଫିସରଙ୍କ ଦାଦାଗିରି, ଓଡିଶା ଭିତରେ ପଶି ମାରିଚାଲିଛନ୍ତି ସାଇନ୍‌ ବୋର୍ଡ : ସମ୍ବାଇ ସରପଞ୍ଚ ପଟାଙ୍ଗୀ ଥାନାରେ ଦେଲେ ଏତଲା

Published By : Prameya-News7 Bureau | November 09, 2020 IST

ପଟାଙ୍ଗି ୦୯।୧୧: ଆନ୍ଧ୍ରର ପୁଣି ଦାଦାଗିରି । ଆଉ ଥରେ ଓଡିଶା ମାଟି ଉପରେ ଆଖିପକାଇଛି ଆନ୍ଧ୍ର ।  ପ୍ରଥମେ କୋଟିଏ ଏବେ ସମ୍ବାଇ ଗାଁରେ ଓଡିଶା ଜମିକୁ ନେବାକୁ ଯୋଜନା କରୁଛି ଆନ୍ଧ୍ର । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସମ୍ବାଇ ଗାଁରେ ଓଡିଶା ସୀମା ଭିତରକୁ ପଶି ଜମିକୁ ଅକ୍ତିଆର କରିବାକୁ ଚକ୍ରାନ୍ତ ଚଳାଇଛି ଆନ୍ଧ୍ର ସରକାର । ଓଡିଶା ସୀମା ଭିତରକୁ ପଶିଯାଇ ରାସ୍ତାରେ ଇଂରାଜୀରେ ବୋର୍ଡ ମାରିଛି । ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ଡମ୍ବ୍ରିଗୁଡ଼ା ମଣ୍ଡଳ ପକ୍ଷରୁ ଏହି ବୋର୍ଡ ମରାଯାଇଛି । ଉକ୍ତ ଜାଗାକୁ  ନିଜ ରାଜ୍ୟର ସୀମା ବୋଲି ଦାବି କରୁଛି ଆନ୍ଧ୍ର । ଯାହାକୁ ନେଇ ସ୍ଥାନୀୟ ସୁନାବେଡ଼ା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥିତିକୁ ଦେଖି ସ୍ଥାନୀୟ ସରପଞ୍ଚ ପଟାଙ୍ଗୀ ଥାନାରେ ଆନ୍ଧ୍ର ବିରୋଧରେ ଏତଲା ଦେଇଛନ୍ତି । ସୀମା ବିବାଦର ସମସ୍ୟାକୁ ଖୁବ ଶୀଘ୍ର ସମାଧାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଖବର ଅନୁଯାୟୀ, ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡ଼ା  ସୀମାନ୍ତ ପର୍ଯ୍ୟନ୍ତ ପ୍ରାୟ ୨୫କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଉଛି । ପ୍ରାୟ ୩ବର୍ଷ ତଳେ ପଟାଙ୍ଗି, ପୁକାଲି, ସମ୍ବାଇ ଦେଇ ସୁନାବେଡ଼ା ପର୍ଯ୍ୟନ୍ତ ଥିବା ରାସ୍ତାକୁ  ପିଚୁରେ ନିର୍ମାଣ ହୋଇଥିଲା । କିନ୍ତୁ ଏବେ ଆନ୍ଧ୍ର ଓଡିଶାର ସୀମା ଭିତରେ ୫୦୦ମିଟର ପ୍ରବେଶ କରି ନିଜ ମନମାନି ଆରମ୍ଭ କରିଛି । ଓଡିଶାର ସୀମାରେ ପ୍ରବେଶ କରି ନିଜର ବୋର୍ଡ ମାରିଛି ଆନ୍ଧ୍ର । ଓଡିଶାର ଏହି ଅଞ୍ଚଳକୁ ଆନ୍ଧ୍ର ଆର୍‌କୁ ଭ୍ୟାଲି ସହିତ ସଂଯୋଗ କରୁଛି ବୋଲି ସୂଚନା ମଧ୍ୟ ରହିଛି ।

ତେବେ ଘଟଣା ନେଇ କୋରାପୁଟ ଉପଜିଲ୍ଲାପାଳ କହିଛନ୍ତି ଯେ, ଦଶହରା ପୂର୍ବ ଉପରୋକ୍ତ ଅଞ୍ଚଳକୁ ଗସ୍ତ କରିଥିଲୁ । ସେତେବେଳେ ସେ ସ୍ଥାନରେ କୌଣସି ବୋର୍ଡ ମରାଯାଇନଥିଲା । କିନ୍ତୁ ବୋର୍ଡ ମରାଯାଇଥିବାର ଅଭିଯୋଗ ଆସିଛି। ଏନେଇ ସ୍ଥାନୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଛୁ। ଖୁବଶୀଘ୍ର ଅନୁଧ୍ୟାନ କରାଯାଇ । ଆନ୍ଧ୍ରର ବୋର୍ଡକୁ ହଟାଯିବ । ସେପଟେ ସ୍ଥାନୀୟ ସରପଞ୍ଚ ଏହି ଜମି ବିବାଦର ସମାଧାନ ତୁରନ୍ତ କରିବାକୁ କହିଛନ୍ତି । ନହେଲେ ଆଗାମୀ ଦିନରେ  ଅଞ୍ଚଳବାସୀ ଜମିହରା ହେବା ସହ ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା କରିଛନ୍ତି । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ହେବା ଉଚିତ୍‌ ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗାଁକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ବିବାଦ ଲାଗିରହିଛି । ଯାହାକି ଦୀର୍ଘବର୍ଷ ଚାଲୁଛି, କୌଣସି ସମାଧାନ ହୋଇନାହିଁ । ଯାହାଫଳରେ ଏପରି ବିବାଦ ମୁଣ୍ଡ ଟେକୁଛି ଲାଗି ରହିଛି । କିଛି ଦିନ ତଳେ  ନାରାୟଣପାଟଣା ବ୍ଲକ ଲଙ୍ଗଳବେଡ଼ା ପଞ୍ଚାୟତର ଚିନାକରିଭଦ୍ରା ଗାଁ ସୀମାରେ ୫୦୦ ମିଟର ଭିତରକୁ ଆନ୍ଧ୍ର ପଶିଆସି ପଥର ପୋତିଥିଲା । ଆନ୍ଧ୍ର ସ୍ଥାନୀୟଅଞ୍ଚଳ ବାସିନ୍ଦାଙ୍କୁ ପଟ୍ଟାଦେଇ ଜମି କବ୍‌ଜା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା । ଏହାର ଖବରପାଇ କୋରାପୁଟ ଜିଲ୍ଲାପାଳଙ୍କ ଓ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ ପାଇଁ ସ୍ଥାନୀୟ ଅଞ୍ଚଳକୁ ଗସ୍ତ କରିଥିଲେ  । ଜିଲ୍ଲାପାଳ ଓ ଅଧିକାରୀଙ୍କ ଗସ୍ତର ଖବର ପାଇବା ମାତ୍ରେ ପୋତା ହୋଇଥିବା ପଥରକୁ ହଟାଇ ଦେଇଥିଲା ଆନ୍ଧ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.