ମେଡିକାଲ ଜର୍ଣ୍ଣାଲ ଲାନସେଣ୍ଟରେ ବଡ଼ ଖୁଲାସା, ଅଗଷ୍ଟ ସୁଦ୍ଧା ଭାରତରେ କରୋନା ସ୍ଥିତି ହେବ ଭୟଙ୍କର

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ ୯/୫: ଭାରତରେ କରୋନା ସ୍ଥିତି ଆହୁରି ଭୟଙ୍କର ହେବ। ଅଗଷ୍ଟ ପହିଲା ସୁଦ୍ଧା ଦେଶରେ ଦଶ ଲକ୍ଷ ଲୋକଙ୍କ ଜୀବନ ଯିବ। ଏକଥା ଆମେ କହୁନୁ ବ୍ରିଟେନ୍‌ର ମେଡିକାଲ ଜର୍ଣ୍ଣାଲ୍‌ ‘ଦି ଲାନସେଣ୍ଟ’ରେ ପ୍ରକାଶ ପାଇଛି। ଏଥିପାଇଁ ସିଧା ସରକାରଙ୍କୁ ଦାୟୀ ମଧ୍ୟ କରାଯାଇଛି। ଜର୍ଣ୍ଣାଲରେ ପ୍ରକାଶିତ ସମ୍ପଦକୀୟରେ ଭାରତରେ ୧ ଅଗଷ୍ଟ ୨୦୨୧ ବେଳକୁ ଭାରତରେ ଏକ ମିଲିୟନ ଅର୍ଥାତ ୧୦ ଲକ୍ଷ ଲୋକଙ୍କ କରୋନରେ ମୃତ୍ୟୁ ହେବ ବୋଲି ଲେଖାଯାଇଛି। ଯଦି ଏହା ବାସ୍ତବରେ ପରିଣତ ହୁଏ ତେବେ ଏଥିପାଇଁ ଭାରତ ସରକାର ଦାୟୀ ରହିବେ ବୋଲି ମଧ୍ୟ ଉଲ୍ଲେଖ ରହିଛି ।

ରିପୋର୍ଟ ଅନୁସାରେ ଆଗାମୀ ୩ ମାସରେ ସାଢ଼େ ୭ ଲକ୍ଷ ଜୀବନ ନେବ କରୋନା। ଇନଷ୍ଟିଚ୍ୟୁଟ ଫର ହେଲ୍ଥ ଆଣ୍ଡ ଇଭାଲ୍ୟୁସନ୍‌ ଅନୁସାରେ ଏଡିଟୁରିଆଲ୍‌ରେ ପ୍ରକାଶ ପାଇଛି ​‌ଯେ, ଭାରତ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳତା ପ୍ରକାଶ କରୁଥିବାରୁ ପରିଣାମ ଭୋଗ କରୁଛି। ଭାରତ ସରକାରଙ୍କୁ ଦାୟୀ କରି ଏଥିରେ ଲେଖାଯାଇଛି, ଚେତାବନୀ ସତ୍ବେ ସରକାର ସୁପରସ୍ପେ୍ରଡର ଇଭେଣ୍ଟ ଯଥା ଧାର୍ମିକ ସମାବେଶ କରିବାକୁ ଅନୁମତି ଦେଇଥିଲେ। ରାଜନୈତିକ ରାଲି କରାଗଲା, ଯେଉଁଥିରେ କରୋନା ପ୍ରୋଟୋକଲ୍‌ର ପାଳନ କରାଯାଇନଥିଲା। ଏହା ସହ ଟିକାକରଣ ଧିମା ହେବା ଫଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି।

କରୋନା ସଂକ୍ରମଣର ଦ୍ବିତୀୟ ଲହର ନେଇ ଚେତାବନୀ ମିଳିବା ପରେ ବି ତାହାକୁ ଗୁରୁତ୍ବ ଦିଆଯାଇନଥିଲା। ମାର୍ଚ୍ଚରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହେବା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ କରୋନାକୁ ଏଣ୍ଡଗେମ୍‌ ବୋଲି ଘୋଷଣା କରିଦେଇଥିଲେ। ଏମିତି କିଛି ହେଲା ନାହିଁ ଏବଂ କରୋନା ବିସ୍ଫୋରଣ ଘଟିଲା ବୋଲି ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି।

ଏହା ସହ କରୋନା ମୁକାବିଲା ପାଇଁ ଲାନସେଣ୍ଟ ପରାମର୍ଶ କରିଛି। ଟିକାକରଣକୁ ଗତି ଦେବା ସହ ଟିକା ଉତ୍ପାଦନ ବଢ଼ାଇବା ସହ ଯୋଗାଣ ପାଇଁ କ୍ୟାମ୍ପେନ ଆରମ୍ଭ କରିବା ଦରକାର। ଏହା ସହ ଲକ୍‌ଡାଉନ୍‌କୁ ଅସ୍ବିକାର କରାନଯାଉ। ଲୋକଙ୍କ ସାମ୍ନାରେ ସଠିକ୍‌ ତଥ୍ୟ ଦେବା ଦରକାର। ଲୋକେ ଜାଣିବା ଦରକାର ପ୍ରକୃତରେ ଦେଶରେ କଣ ହେଉଛି। ଏମିତି କିଛି ପରାମର୍ଶ ଦେଇଛି ଲାନସେଣ୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.