ବିହାର ପଶୁଖାଦ୍ୟ ସ୍କାମ୍ ମାମଲା: ରିମସ୍ ନିର୍ଦ୍ଦେଶକଙ୍କ ବଙ୍ଗଳାକୁ ସିଫ୍ଟ ହେଲେ ଲାଲୁ

Published By : Prameya-News7 Bureau | August 05, 2020 IST

ରାଞ୍ଚୀ ୫।୮: ବହୁ ଚର୍ଚ୍ଚିତ ବିହାର ପଶୁଖାଦ୍ୟ ଦୁର୍ନୀତି ଲାଗି ଜେଲ ଦଣ୍ଡ କାଟୁଥିବା ପୂର୍ବତନ ଆରଜେଡି ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ବୁଧବାର ରାଜେନ୍ଦ୍ର ଆୟୁର୍ବିଜ୍ଞାନ ସଂସ୍ଥାନ (ରିମସ୍‌)ରୁ ସ୍ଥାନାନ୍ତର କରାଯାଇଛି। ଏହି ସୂଚନା ଦେଇଛନ୍ତି କାର୍ଯ୍ୟକାରୀ ନିର୍ଦ୍ଦେଶିକା ଡା.ମଞ୍ଜୁ ଗଡି। ଲାଲୁ ଜେଲରେ ଅସୁସ୍ଥ ହେବାରୁ ତାଙ୍କୁ ରିମସ୍‌ ସ୍ଥାନାନ୍ତର କରାଯାଇଥିଲା। ତେବେ ରିମସ୍‌ ପେଇଙ୍ଗ ୱାର୍ଡରେ ଏବେ କରୋନା ଆକ୍ରାନ୍ତଙ୍କ ଭିଡ ବଢୁଥିବାରୁ ଲାଲୁଙ୍କୁ ନିର୍ଦ୍ଦେଶକଙ୍କ ବଙ୍ଗଳାରେ ରଖି ଚିକିତ୍ସା କରିବା ଲାଗି ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଲାଲୁ ଚିକିତ୍ସିତ ହେଉଥିବା ୱାର୍ଡ ବାହାରେ ଜଗୁଥିବା ୩ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ହୋଥିବା ଜଣାପଡିବା ପରେ ରିମସ୍‌ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଡା. ମଞ୍ଜୁ କହିଛନ୍ତି। ତେବେ ରିମସ୍‌ରେ ଲାଲୁଙ୍କ ଚିକିତ୍ସା କରୁଥିବା ଡା.ଉମେସ ପ୍ରସାଦ ଓ ତାଙ୍କ ସହଯୋଗୀ କେହି ହେଲେ କରୋନା ସଂକ୍ରମିତ ହୋଇ ନାହାନ୍ତି। ବୋଲି ଡା.ମଞ୍ଜୁ ଗଣମାଧ୍ୟମକୁ ସ୍ପଷ୍ଟ କରିଦେଇଛନ୍ତି।

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଯୋଗୁ ରିମସ୍‌ରେ ଏବେ ରୋଗୀଙ୍କ ଲାଗି ସ୍ଥାନାଭାବ ପଡୁଛି। ଏଣୁ ଲାଲୁଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରିବା ଏବେ ସୁରକ୍ଷିତ ମନେ କରାଯାଉ ନଥିବାରୁ ତାଙ୍କ ଲାଗି ହସ୍ପିଟାଲରେ ଅନ୍ୟ ସ୍ଥାନ ଖୋଜା ଯାଇଥିଲା। ତେବେ ହସ୍ପିଟାଲରେ ଲାଲୁ ଆଦୌ ସୁରକ୍ଷିତ ନୁହେଁ ବୋଲି ସମୀକ୍ଷା କରାଯିବା ପରେ ହସ୍ପିଟାଲ ପରିସରରେ ଥିବା ନିର୍ଦ୍ଦେଶକଙ୍କ ବଙ୍ଗଳାକୁ ବଛାଯାଇଛି। ସେହି ଅନୁସାରେ ତାଙ୍କୁ ବୁଧବାର ହସ୍ପିଟାଲରୁ ସିଫ୍ଟ କରାଇ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.