ଲାଲୁଙ୍କୁ ମୁକୁଳାଇବାକୁ ରାଷ୍ଟ୍ରପତିଙ୍କୁ ଝିଅ ରୋହିଣୀଙ୍କ ଚିଠି, ତେଜପ୍ରତାପ ଆରମ୍ଭ କଲେ ‘ଆଜାଦୀ ପତ୍ର’ କ୍ୟାମ୍ପେନ୍
25/01/2021 at 4:46 PM

ନୂଆଦିଲ୍ଲୀ ୨୫/୦୧: ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରାସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି। କିଛି ଦିନ ଧରି ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଝାଡ଼ଖଣ୍ଡର ରିମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଲାଲୁଙ୍କ ଫୁସଫୁସରେ ପାଣି ଜମି ରହିଥିବାରୁ ସେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇପଡ଼ିଥିବାରୁ ତାଙ୍କୁ ଏବେ ମୁକୁଳାଇବା ପାଇଁ ତାଙ୍କ ପୁଅ-ଝିଅ ଫୁଲ ଦମରେ ଲାଗିପଡ଼ିଛନ୍ତି।
ଲାଲୁ ଯାଦବଙ୍କ ଝିଅ ରୋହିଣୀ ବାପାଙ୍କୁ ମୁକୁଳାଇବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଏହା ସହ ଏହି ପ୍ରସଙ୍ଗକୁ ଆନ୍ଦୋଳନରେ ପରିଣତ କରିବାକୁ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାପାଙ୍କୁ ମୁକ୍ତ କରିବାକୁ ରୋହିଣୀ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିବା ବେଳେ ଏନେଇ ସେ ନିଜେ ଟ୍ବିଟ୍ କରି ଜଣାଇଛନ୍ତି। ପୋଷ୍ଟକାର୍ଡ ସିମ୍ବଲ ମାଧ୍ୟମରେ ଲେଖାଯାଇଥିବା ଏହି ପତ୍ରକୁ ରୋହିଣୀ ‘ଆଜାଦୀ ପତ୍ର’ ଭାବେ ନାମିତ କରିଛନ୍ତି। ଏହା ସହିତ ସମସ୍ତ ଲୋକ ଏବଂ ରାଜନେତା ଯୋଡ଼ି ହେବାକୁ ସେ ନିବେଦନ କରିଛନ୍ତି। ରୋହିଣୀଙ୍କ ଏହି ଟ୍ବିଟ୍କୁ ତାଙ୍କ ଭାଇ ତେଜପ୍ରତାପ ରିଟ୍ବିଟ୍ କରିଛନ୍ତି।
ଅନ୍ୟପଟେ ତେଜପ୍ରତାପ ଯାଦବ ଲାଲୁଙ୍କ ପାଇଁ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ସୋମବାର ଏହି କ୍ୟାମ୍ପେନ ଆରଜେଡି ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କୁ ମୁକୁଳାଇବା ପାଇଁ ରାଷ୍ଟ୍ରପତିଙ୍କୁ ଆଜାଦୀ ପତ୍ର ଦିଆଯାଇଛି। ଆହୁରି ୩ ଲକ୍ଷ ପୋଷ୍ଟକାର୍ଡ ଛାପିବାକୁ ଦିଆଯାଇଛି। ୨୭ ଜାନୁଆରୀ ଦିନ ବାପାକୁ ସାକ୍ଷାତ କରିବାକୁ ଦିଲ୍ଳୀ ଏମ୍ସ ଯିବୁ । ଏହି ସମୟରେ ରାଷ୍ଟ୍ରପତିଙ୍କୁ ୨ ଲକ୍ଷ ପୋଷ୍ଟକାର୍ଡ ଦେଇ ଲାଲୁ ପ୍ରସାଦଙ୍କୁ ମୁକ୍ତ କରିବାକୁ ଦାବି କରିବୁ ବୋଲି ତେଜପ୍ରତାପ କହିଛନ୍ତି।
ଏହି କ୍ୟାମ୍ପେନର ଶୁଭାରମ୍ଭ କରିବା ଅବସରରେ ତେଜପ୍ରତାପ କହିଛନ୍ତି, ଲାଲୁ ଜୀଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି। ଯେଉଁ ମାନେ ଏହି ମାମଲାରେ ସାମିଲ ଥିଲେ ସେମାନଙ୍କୁ ଛାଡ଼ିଦିଆଗଲା। କିନ୍ତୁ ଗରିବଙ୍କ ସ୍ବର ଲାଲୁ ଯାଦବଙ୍କୁ ଅସୁସ୍ଥ ବେଳେ ମଧ୍ୟ ଜେଲ୍ରେ ରଖାଗଲା। ତେଜପ୍ରତାପ ଯାଦବ ଆହୁରି ମଧ୍ୟ କହିଛନ୍ତ ଯେ, ଏହି କ୍ୟାମ୍ପେନ ପୁରା ଦେଶରେ ଆରମ୍ଭ ହେବ।